ମୁମ୍ବାଇ : ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ର ଡି-କମ୍ପାନୀ ଉପରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନ୍ଆଇଏ)ର ବଡ ଧରଣର କାର୍ଯ୍ୟାନୁଷ୍ଠାନ। ମୁମ୍ବାଇରେ ଥିବା ୨୦ ଟି ସ୍ଥାନରେ ସୋମବାର ଏଆଇଏ ଟିମ୍ ଚଢାଉ କରିଛି। ବାନ୍ଦ୍ରା, ନାଗପଡ଼ା, ବୋରିୱାଲି, ଜର୍ଜଗାଓଁ, ପାର୍ଲେ, ସାନ୍ତାକ୍ରୁଜ୍ ଆଦି ଅଞ୍ଚଳରେ ଦାଉଦ୍ ଇବ୍ରାହିମର ସାର୍ପ ସୁଟର୍, ଡ୍ରଗ୍ ଟ୍ରାଫିକର୍, ହାୱାଲା ଅପରେଟର୍ସ, ରିୟଲ ଇଷ୍ଟେଟ୍ ମ୍ୟାନେଜର୍ ଏବଂ ଅନ୍ୟାନ୍ୟ ପ୍ରମୁଖ ଅପରାଧୀମାନଙ୍କ ଆଡ୍ଡା ଉପରେ ଚଢ଼ାଉ ଚାଲିଛି।
ଯେଉଁ ମାମଲାରେ ଚଢାଉ ହୋଇଛି, ଏହା ହେଉଛି ସେହି କେସ୍, ଯେଉଁଥିରେ ଇଡି ଏନସିପି ନେତା ନଓ୍ବାବ ମଲିକଙ୍କୁ ଗିରଫ କରିଛି। ଗୃହମନ୍ତ୍ରଣାଳୟର ନିର୍ଦେଶର ଏନଆଇଏ ଦାଉଦ ଇବ୍ରାହିମ୍, ଡି କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି। ଡି କମ୍ପାନୀ ଜାତିସଂଘ ଦ୍ବାରା ବ୍ୟାନ୍ ହୋଇଥିବା ଆତଙ୍କବାଦୀ ସଂଗଠନ। ସେଭଳି ୧୯୯୩ ରେ ହୋଇଥିବା ମୁମ୍ବାଇ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ଦାଉଦ ଇବ୍ରାହିମ୍ ୨୦୦୩ ରେ ଜାତିସଂଘରେ ବିଶ୍ବ ଆତଙ୍କବାଦୀ ବୋଲି ଘୋଷିତ ହୋଇଥିଲା। ତା ଉପରେ ୨୫ ମିଲିୟନ ଡଲାରର ପୁରସ୍କାର ମଧ୍ୟ ରଖାଯାଇଛି।
ଦାଉଦ୍ ଇବ୍ରାହିମ୍ ମାମଲାରେ ତଦନ୍ତ ଗୃହମନ୍ତ୍ରଣାଳୟ ଫେବୃଆରୀ ୨୦୨୨ ରେ ଏନଆଇକୁ ଦେଇଥିଲା। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନ୍ଆଇଏ) ଆତଙ୍କ ଉପରେ ଯାଞ୍ଚ କରିଥିବା ଦେଶର ସବୁଠାରୁ ବଡ ଏଜେନ୍ସି। ଏହା ପୂର୍ବରୁ ଇଡି ଦାଉଦ ମାମଲାରେ ତଦନ୍ତ କରୁଥିଲା। ଗୃହମନ୍ତ୍ରଣାଳୟର କହିବା ଅନୁସାରେ, ଡି’ କମ୍ପାନୀ ଓ ଦାଉଦ ଇବ୍ରାହିମ୍ ଭାରତରେ ଟେରର ଫଣ୍ଡିଂ, ନାର୍କୋ ଟେରର, ଡ୍ରଗ୍ସ ସ୍ମଗଲିଂଓ ଫେକ୍ କରେନ୍ସିର ବେପାର କରି ଆତଙ୍କବାଦ ବଢାଇବାର କାମ କରୁଛି। କେବଳ ସେତିକି ନୁହେଁ ଦାଉଦ୍ ଇବ୍ରାହିମ୍ ଓ ଏହାର ଡି’ କମ୍ପାନୀ ଲସ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ ଓ ଅଲ୍ କାଏଦା ଜରିଆରେ ଭାରତରେ ଆତଙ୍କବାଦୀ ଗତିବିଧିର ଯାଞ୍ଚ ମଧ୍ୟ କରିବ।