ଦୀପାବଳି ପରେ ଦିଲ୍ଲୀର ବାୟୁ ବିଷାକ୍ତ : ଆଗାମୀ ୨ ଦିନ ଯାଏ ନିସ୍ତାର ନାହିଁ

0
754
ଦୀପାବଳି ପରେ ଦିଲ୍ଲୀର ବାୟୁ ବିଷାକ୍ତ
ଦୀପାବଳି ପରେ ଦିଲ୍ଲୀର ବାୟୁ ବିଷାକ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଅତି ଗମ୍ଭୀର ସ୍ତରକୁ ଚାଲି ଯାଇଛି। ଏପରିକି ବିଷାକ୍ତ ହୋଇଯାଇଛି ଦିଲ୍ଲୀର ବାୟୂ । ଆଜି ସକାଳୁ ସକାଳୁ ଦିଲ୍ଲୀରେ ବାୟୁର ମାନ ଅତି ବିପଦଜନକ ସ୍ଥିତିରେ ପହଞ୍ଚି ଯାଇଛି। ଶୁକ୍ରବାର ସକାଳେ ଜନପଥରେ ବାୟୁ ଗୁଣବତ୍ତା (Air Quality Index) ର ସ୍ତର ୬୫୫.୦୭ରେ ପହଞ୍ଚିଯାଇଛି। ଏହା ପ୍ରଭାବରେ ବହୁ ଲୋକଙ୍କ ଆଖିରୁ ପାଣି ବୋହୁଥିବା ବେଳେ ଗଳା ଦରଜ ହେବା ପରି ଲକ୍ଷଣ ଦେଖାଦେଉଛି। ନିଶ୍ୱାସ ନେବାରେ ବି କଷ୍ଟ ଅନୁଭବ କରୁଛନ୍ତି ଲୋକ । ଏହାଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ତଥା ରୋଗୀ ତଥା ଛୋଟ ପିଲା । ଗାଜିଆବାଦ ଓ ନୋଏଡାରେ ବି ପରିସ୍ଥିତି ଗମ୍ଭୀର ଶ୍ରେଣୀରେ ପହଞ୍ଚି ଯାଇଥିବା ବେଳେ ସେଠାକାର ବାସିନ୍ଦା ବି ସମାନ ଅଭିଯୋଗ କରିଛନ୍ତି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ ତଥା ଲୋକେ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଚେତାବନୀ ବି ଦିଆଯାଇଛି।

ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଆକ୍ସନ ପ୍ଲାନ୍‌। କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦିଆଯାଇଥିଲା। କିନ୍ତୁ ଗତକାଲି ସନ୍ଧ୍ୟା ଯାଉଯାଉ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲା ଆଖି ବୁଜା ଆତସବାଜି ତଥା ଫୁଟିଲା ଭଳିକି ଭଳି ବାଣ। ଏପରିକି ବାଣ ଫୁଟାଇବା ଉପରେ ଦିଲ୍ଲୀ ସରକାରଙ୍କ ରୋକ ସତ୍ତ୍ୱେ ଲୋକେ ରାସ୍ତା ଉପରେ ବାଣ ଫୁଟାଇବାକୁ ଲାଗିଲେ। ଏହା ପ୍ରଭାବରେ ଗତ ରାତିରେ ଦିଲ୍ଲୀ ଆକାଶ ଧୂଆଁମୟ ହୋଇଯାଇଥିବା ବେଳେ  ଆଜି ସକାଳେ ବି ଆକାଶରେ  ଏକ ବହଳ ଆସ୍ତରଣ ଦେଖିବାକୁ ମିଳିଛି। କେବଳ ଦିଲ୍ଲୀ ନୁହେଁ, ଆଖପାଖ  ନୋଏଡା ଓ ଗାଜିଆବାଦରେ ବି ସ୍ଥିତି ସମାନ।

ଲୋକଙ୍କ ଖାମଖିଆଲି ମନୋଭାବର ପରିଣାମ ସମଗ୍ରୀ ଦିଲ୍ଲୀବାସୀ ତଥା ଆଖପାଖ ଅଞ୍ଚଳର ବାସିନ୍ଦାଙ୍କୁ ଭୋଗିବାକୁ ପଡ଼ୁଛି। ଦୀପାବଳି ରାତିସାରା ଫୁଟିଲା ପ୍ରବଳ ଆତସବାଜି। ଫଳସ୍ୱରୂପ ଦୀପାବଳି ରାତିରୁ ହିଁ ଦିଲ୍ଲୀର ବାୟୁ ଅଣନିଶ୍ୱାସୀ କରିଦେବା ପରି ଲାଗୁଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସବୁ ରେକର୍ଡ ପାର୍‌ କରିସାରିଥିବା ବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ ଗମ୍ଭୀର ଶ୍ରେଣୀରେ ପହଞ୍ଚି ଯାଇଛି। ଦିଲ୍ଲୀର ବାୟୂ ପୂର୍ବରୁ ଖରାପ ଶ୍ରେଣୀରେ ଥିବା ବେଳେ ଦୀପାବଳି ପରେ ଏହା ଅତି ଗମ୍ଭୀର ଶ୍ରେଣୀକୁ ପଳାଇଛି। ଫଳରେ ବିଷାକ୍ତ ହୋଇଯାଇଛି ଦିଲ୍ଲୀର ପରିବେଶ। ଫଳରେ ଗତ ରାତରୁ ହିଁ ଦିଲ୍ଲୀ ଆକାଶ ଧୂଆଁମୟ ହୋଇ ଯାଇଥିବା ବେଳେ ଭିଜିବିଲିଟି ବି ବହୁତ୍‌ କମି ଯାଇଛି। ଅର୍ଥାତ  ଚାରିପାଖରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିବାରୁ ପାଖ  ଜିନିଷ ବି ଦୃଶ୍ୟମାନ ହେଉ ନାହିଁ।

Also Read  କମୁଛି ସଂକ୍ରମଣ : ୨୪ରୁ ଖୋଲିବ ସ୍କୁଲ

 

ଆସନ୍ତା ରବିବାର ସନ୍ଧ୍ୟା ସୁନ୍ଧା ଦିଲ୍ଲୀର ବାୟୂର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବା ବାୟୁ ଗୁଣବତ୍ତା ଏଜେନ୍ସି ‘ସଫର’ ପକ୍ଷରୁ କୁହାଯାଇଛି। ହେଲେ ବାୟୁ ଗୁଣବତ୍ତା ‘ଗମ୍ଭୀର’ରୁ ବହୁତ ଖରାପ ଶ୍ରେଣୀକୁ ଆସିପାରେ। ସାଧାରଣତଃ ବାୟୁର ଗୁଣବତ୍ତା ୫୦ ମଧ୍ୟରେ ଥିଲେ ତାହାକୁ ଭଲ କୁହାଯାଇଥାଏ। (Air Quality Index) ୫୦ରୁ ୧୦୦ ମଧ୍ୟରେ ଥିଲେ ସନ୍ତୋଷଜନକ, ୧୦୦ରୁ ୨୦୦ ମଧ୍ୟରେ ମଧ୍ୟମ, ୩୦୦ ମଧ୍ୟରେ ଥିଲେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଥିଲେ ତାହାକୁ ଗମ୍ଭୀର ଶ୍ରେଣୀରେ ବିବେଚନା କରାଯାଇଥାଏ।