ପୁଅକୁ ଚୋରି କରିଥିଲା ପଡ଼ୋଶୀ : ବାନ୍ଧିଲା ପୁଲିସ୍‌

0
812
OSSC Question Paper Leak: Seven Arrested From Bihar
OSSC Question Paper Leak: Seven Arrested From Bihar

କାମାକ୍ଷାନଗର : ପଡ଼ୋଶୀ ତାଙ୍କ ୯ ମାସର ଶିଶୁ ପୁତ୍ରକୁ ଚୋରି କରି ବିକ୍ରି କରି ଦେଇଥିବା ନେଇ ଜଣେ ମହିଳା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ୍ ତଦନ୍ତ କରି ଶିଶୁ ପୁତ୍ରଟିକୁ ଉଦ୍ଧାର କରିବା ସହିତ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରେ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଜିରିଡ଼ାମାଳି ଗାଁର ବୁଚୁ ଓରଫ ନଳିନୀ ମହାରଣା ଓ କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ମୀର୍ଜା ମଇଉଦ୍ଦିନ ବେଗ୍‌।

କାନପୁରା ପଞ୍ଚାୟତ ଅନ୍ତର୍ଗତ ଜିରିଡ଼ିମାଳି ଗାଁ ପାଖରେ ଏକ ପରିତ୍ୟକ୍ତ ସରକାରୀ ଘରେ ରହନ୍ତି ସାବି ପ୍ରଧାନ। ଗତକାଲି ପ୍ରାୟ ମଧ୍ୟାହ୍ନ ସମୟରେ ତାଙ୍କର ୯ ମାସର ଶିଶୁପୁତ୍ରକୁ ତାଙ୍କ ପଡ଼ୋଶୀ ବୁଚୁ ଓରଫ ନଳିନୀ ମହାରଣା ଚୋରି କରି ନେଇ ଯାଇଥିଲେ। ସେ ଶିଶୁଟିକୁ ନେଇ ଜିରିଡ଼ାମାଳି ଜଙ୍ଗଲରେ ଟୁକୁ ଓରଫ ମୀର୍ଜା ମଇଉଦ୍ଦିନ ବେଗକୁ ବିକ୍ରୟ କରି ଦେଇଥିଲେ। ସାବି ଘଟଣା ସଂପର୍କରେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ।

ସାବିଙ୍କ ଅଭିଯୋଗକୁ ଭିତ୍ତି କରି କାମାକ୍ଷାନଗର ପୁଲିସ ଅଭିଯୁକ୍ତ ମୀର୍ଜା ମଇଉଦ୍ଦିନ ବେଗଙ୍କ ଠାରୁ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲା। ଏହା ପରେ ମୀର୍ଜା ସହିତ ବୁଚୁ ଓରଫ ନଳିନୀ ମହାରଣାକୁ ଗିରଫ କରିଥିଲା। ଏହି ଶିଶୁକୁ ଚୋରି ଓ ବିକ୍ରୟ ଘଟଣା ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ନେଇ କାମାକ୍ଷାନଗର ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Also Read  Pratyusha boyfriend Rahul hospitalised