୨୪ରେ ଚୂଡ଼ାନ୍ତ ଭୋଟର ତାଲିକା, ଖରାଦିନରେ ପୌର ନିର୍ବାଚନ ହୋଇପାରେ
ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି । ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଅନକେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ନିର୍ଭୁଲ ଭୋଟର ତାଲିକା ପ୍ରକାଶକୁ ଗୁରତ୍ୱ ଦିଆଯିବା ସହିତ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଆଲୋଚନା ହୋଇଥିବା ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।
ରାଜ୍ୟରେ ୧୧୦ଟି ପୌରାଞ୍ଚଳରେ ନିର୍ବାଚନ ହେବ । ତେବେ ମତଦାନ ସମୟ ନେଇ କେହି କିଛି ପ୍ରସ୍ତାବ ଦେଇନାହାନ୍ତି । ଆସନ୍ତା ୨୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ତେବେ ଖରାଦିନରେ ପୌର ନିର୍ବାଚନ ହୋଇପାରେ । ସେହି ସମୟରେ ପିଇବା ପାଣି ବ୍ୟବସ୍ଥା କରିବାକୁ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେବେ ଏଥର ନିର୍ଭୁଲ ବୋଟର ତାଲିକା ପ୍ରସ୍ତୁତି ଉପରେ ଗୁରତ୍ୱ ଦିଆଯାଇଛି । ରାଜ୍ୟରେ ମୋଟ ୫୯ଟି ବିଜ୍ଞାପିତ ପରିଷଦ ଅଞ୍ଚଳ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ । ଏସବୁ ସହରାଞ୍ଚଳରେ ଆଜି ୱାର୍ଡୱାରୀ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ।
ଅନ୍ୟପକ୍ଷରେ ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ତିନିଟି ଦାବି ଉପସ୍ଥାପିତ ହୋଇଛି। ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ ୬ ଦିନ ବଦଳରେ ୧୦ ଦିନ କରାଯିବା, ଆପତ୍ତି ଅଭିଯୋଗର ଶୁଣାଣି ଏକ ଦିନ ବଦଳରେ ୩ ଦିନ କରାଯିବା, ଦଳୀୟ ନେତା ଓ ପ୍ରାର୍ଥୀମାନଙ୍କ ଭିତରେ ଦ୍ଵନ୍ଦ୍ବ ସୃଷ୍ଟି ନ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେବାକୁ ଦାବି କରିଛି ବିଜେପି। ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ହେତୁ ସର୍ବଦଳୀୟ ବୈଠକ ଆଗକୁ ଘୁଞ୍ଚାଇବାକୁ ଓ ଭୋଟର ତାଲିକା ସଂଶୋଧନ ପଞ୍ଚାୟତ ନିର୍ବାଚନ ପରେ କରାଯିବାକୁ କଂଗ୍ରେସ ଦାବି କରିଛି। ବିଜେଡି କିନ୍ତୁ ନିର୍ବାଚନ ଆୟୋଗଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରିଛି। ପୌର ନିର୍ବାଚନ ଖରାଦିନ ହେଉଥିବାରୁ କୋଭିଡ ନିୟମ ସହିତ ପାନୀୟଜଳ ବ୍ୟବସ୍ଥା କରାଯିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।
ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବ୍ରୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ । ୧୮ ତାରିଖରେ ଅଭିଯୋଗ ଉପରେ ହେବ ଶୁଣାଣି । ୨୧ରେ ଜିଲ୍ଲାପାଳ ସ୍ତରରେ ହେବ ଶୁଣାଣି ପରେ ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଫେବ୍ରୁଆରୀ ୨୮ରେ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ । ପୂର୍ବରୁ ସବୁ ସହରାଞ୍ଚଳରେ ୱାର୍ଡ ପୁନର୍ଗଠନ, ସଂରକ୍ଷଣ ସହ ମେୟର ଓ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି ।