ବିଧାୟକ ସୁବ୍ରତ ତରାଇ ନିଖୋଜ !

0
636
ବିଜ଼େଡି ବିଧାୟକ ସୁବ୍ରତ ତରାଇ
ବିଜ଼େଡି ବିଧାୟକ ସୁବ୍ରତ ତରାଇ

ରାଉରକେଲା : ବିଜ଼େଡି ବିଧାୟକ ସୁବ୍ରତ ତରାଇ ନିଖୋଜ । ନିର୍ବାଚନ ପରଠୁ ଅଛନ୍ତି ନିଖୋଜ । ନା ନେତାଙ୍କ ଦର୍ଶନ ମିଳୁଛି ନା ମୌଳିକ ସୁବିଧା ମିଳୁଛି। ଫଳରେ ଅତିଷ୍ଠ ହୋଇ ଏପରି ପଦକ୍ଷେପ ନେଇଛନ୍ତି ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଥିବା ବସ୍ତିବାସିନ୍ଦା । ଏପରିକି ବସ୍ତିର କାନ୍ଥ ବାଡ଼ରେ ଲଗାଇ ଦେଇଛନ୍ତି ବିଧାୟକଙ୍କ ନିଖୋଜ ପୋଷ୍ଟର । ଅତି କମ୍‌ରେ ଏହା ଉପରେ ବିଧାୟକଙ୍କ ନଜର ପଡ଼ିଲେ ସେମାନଙ୍କ ସମସ୍ୟା ସମାଧାନ କରିପାରନ୍ତି ବୋଲି ଆଶା ବି ରଖିଛନ୍ତି।

ନିଜ ବିଧାୟକଙ୍କ କ୍ରମାଗତ ଅବହେଳାରେ ଅତିଷ୍ଠ ହୋଇପଡିଥିବା ସ୍ଥାନୀୟ ବାସିନ୍ଦା ଏଭଳି ପୋଷ୍ଟର ମାରି ପ୍ରତିବାଦ ଜଣାଇଥିବା ସୂଚନା ମିଳିଛି । ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବସ୍ତିର ସ୍କୁଲ ଘର ଓ କ୍ଲବ ଘର ଓ ଘରର କାନ୍ଥରେ ବିଧାୟକଙ୍କ ନିଖୋଜ ପୋଷ୍ଟର ମରାଯାଇଛି । ତେବେ ଏନେଇ ସୁବ୍ରତ ତରାଇଙ୍କ ପ୍ରତିକ୍ରିୟା ମିଳିପାରିନି ।

ଏନେଇ ବସ୍ତି ବାସିନ୍ଦା କହିଛନ୍ତି, ବିଧାୟକ ନିର୍ବାଚନ ପୂର୍ବରୁ ଦେଖା ଦେଇଥିଲେ। ଏହାପରେ ଅତି କମ୍‌ରେ ୪ ବର୍ଷ ବିତି ସାରିଲାଣି। ପୁଣି ଥରେ ନିର୍ବାଚନ ପାଖେଇ ଆସିଲାଣି। ହେଲେ ବିଧାୟକଙ୍କ ଦର୍ଶନ ମିଳୁନି। ଆମ୍ ବସ୍ତିରେ ସମସ୍ୟାର ଲମ୍ବା ଲାଇନ୍‌ ଲାଗିଥିବା ବେଳେ ସମାଧାନ କରିବାକୁ କାହାର ଦର୍ଶନ ମିଳୁନି। ଆମ ବସ୍ତିରେ ଶୌଚାଳୟ ନାହିଁ, ଆବର୍ଜନା ଏଣେ ତେଣେ ପଡ଼ି ରହୁଛି, ଏହାକୁ ନେବାକୁ ଗାଡ଼ି ଆସୁନି। ତେଣୁ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛୁ। ଏପରି ସମସ୍ୟା ଲାଗି ରହିଥିବା ବେଳେ ବିଧାୟକ ଆମକୁ ଧରାଛୁଆଁ ଦେଉ ନାହାନ୍ତି। ତେଣୁ ଦୁଃଖ କାହାକୁ ଜଣାଇବୁ, କିଏ ଆମ ସମସ୍ୟା ସମାଧାନ କରିବ ।

ଏଥିସହ ସେମାନେ କହିଛନ୍ତି, ନିର୍ବାଚନ ପୂର୍ବରୁ ବିଧାୟକ ଆସି ଭୋଟ ମାଗିଥିଲେ। ଜିତିଲେ ପାଣି ସମସ୍ୟା, ରାସ୍ତା, ଶୌଚାଳୟ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ବି ଦେଇଥିଲେ । ମିଠା ମିଠା କଥା କହି ଜିତି ତ ଗଲେ ହେଲେ ଆଉ ଧରାଛୁଆଁ ଦେଉ ନାହାନ୍ତି। ତେଣୁ ବାଧ୍ୟ ହୋଇ ବିଧାୟକ ନିଖୋଜ ବୋଲି ପୋଷ୍ଟର ମାରିଛୁ। ଏନେଇ ବିଧାୟକଙ୍କୁ ଫୋନ୍‌ କରାଯାଇଥିଲେ ବି ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା।

Also Read  Minor found dead inside a drain, covered in a gunny bag