ଶ୍ରୀନଗର: ଜମ୍ମୁ କଶ୍ମୀରର ବରମୂଳା ସହରରେ ଥିବା ଏକ ମଦ ଦୋକାନରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗ୍ରେନେଡ୍ ଫିଙ୍ଗିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତତଙ୍କ ନାଁ ରଞ୍ଜିତ ସିଂହ ଏବଂ ସେ ରଜୌରିର ବାସିନ୍ଦା ବୋଲି ଜଣାପଡ଼ିଛି। 35 ବର୍ଷୀୟ ଗାରିସନ୍ ସହରରେ ନୂଆକରି ଖୋଲିଥିବା ମଦ ଦୋକାନରେ କାମ କରୁଥିଲେ। ଆହତ ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ବରମୂଳାର ଦେଓ୍ୱାନ ବାଗ୍ ଅଞ୍ଚଳରେ ଥିବା ଏହି ମଦ ଦୋକାନ ନିକଟରେ ପୁଲିସ ଓ ସୁରକ୍ଷା ବଳୟ ବ୍ୟବସ୍ଥା ରହିଛି। ପୁଲିସ କହିଛି ଯେ ରାତି ପ୍ରାୟ 8ଟା ବେଳେ ବୁର୍ଖା ପିନ୍ଧି ବାଇକରେ ଯାଉଥିବା ଦୁଇ ଆତଙ୍କବାଦୀ ମଦ ଦୋକାନ ନିକଟରେ ଅଟକି ଭିତରେ ଗ୍ରେନେଡ୍ ପକାଇ ଶେଷରେ ଖସି ପଳାଇଥିଲେ। ଏହି ଘଟଣାରେ ଉକ୍ତ ଦୋକାନର 4 ଜଣ କର୍ମଚାରୀ ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରେ ଥିବା କିଷାନ ଲାଲଙ୍କ ପୁଅ ରଞ୍ଜିତ ସିଂହଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଆହତ କର୍ମଚାରୀମାନେ ହେଲେ ଗୋବର୍ଦ୍ଧନ ସିଂହଙ୍କ ପୁଅ ବିଜେନ୍ଦ୍ର ସିଂହ, ରବି କୁମାରଙ୍କ ପୁଅ କରତାର ସିଂହ ଏବଂ ଗୋବିନ୍ଦ ସିଂହଙ୍କ ପୁଅ ଗୁରୁଦେବ ସିଂହ। ପୋଲିସ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ୍ ଜାରି ରଖିଥିବା କହିଛି।