ବ୍ଲ୍ୟୁ ଲେକ୍‌ରେ ଭାସୁଛି ମୃତଦେହ : ହତ୍ୟା ନା ଆତ୍ମହତ୍ୟା !

0
606
ବ୍ଲ୍ୟୁ ଲେକ୍‌ରେ ଭାସୁଛି ମୃତଦେହ
ବ୍ଲ୍ୟୁ ଲେକ୍‌ରେ ଭାସୁଛି ମୃତଦେହ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ନିକଟ ବ୍ଲ୍ୟୁ ଲେକରୁ ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରିନି। ମୃତକଜଣକ ବୁଲି ଆସିଥିବା ବେଳେ ଅସାବଧାନତା ହେତୁ ପାଣିରେ ଖସି ପଡ଼ିଛନ୍ତି, ନା ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟାକାଣ୍ଡ ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ ।

ଆଜି ସକାଳୁ ସ୍ଥାନୀୟ ଅଞ୍ଚଳବାସୀ ବ୍ଲ୍ୟୁ ଲେକ୍‌ରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ଘଟିଥିବା ସ୍ଥାନଟିରେ ପୂର୍ବରୁ ଖାଦାନ ଚାଲିଥିବା ବେଳେ ପାହାଡ଼ରେ ଗଭୀର ଗର୍ତ୍ତ ହୋଇଥିଲା। ପରେ ଏଥିରେ ପାଣି ଜମି ତାହା ନୀଳ ରଙ୍ଗର ଦୃଶ୍ୟମାନ ହେଉଥିଲା, ଯାହାକି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା। ହେଲେ ତାହା ଏକ ପର୍ଯ୍ୟଟନ ସ୍ଥଳୀ ଘୋଷଣା ହୋଇ ନ ଥିବାରୁ ସେଠାରେ ପ୍ରଶାସନ ତରଫରୁ କୌଣସି ଅନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇନି। ଏହାବାଦ ଏହା ଏକ ବିପଦସଙ୍କୁଳ ଜାଗା ହୋଇଥିବା ବେଳେ ବି ସେଠାକୁ ଯିବାକୁ ପ୍ରଶାସନ ତରଫରୁ ଆକଟ କରାଯାଉନି। ତେଣୁ ଏହା ପୂର୍ବରୁ ବି ସେଠାରେ ଏପରି ଅଘଟଣ ଘଟିଛି।

ମୃତକଜଣକ ପର୍ଯ୍ୟଟକ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ପର୍ଯ୍ୟଟକ ହୋଇଥିଲେ ତାଙ୍କ ସହ ଆସିଥିବା ଅନ୍ୟମାନେ ଯୁବକଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିବା କଥା। ହେଲେ ଏନେଇ ଏ ଯାଏ ପୁଲିସ୍‌ ନିକଟରେ କୌଣସି ସୂଚନା ନାହିଁ।

ଅପରପକ୍ଷେ, ହୁଏତ ଯୁବକଜଣକ ସେଲଫି ନେବା ବେଳେ ଅସାବଧାନତା ହେତୁ ଖସି ଯାଇ ପାରିଥାନ୍ତି, ନଚେତ ତାଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡ଼ି ଦେଇଥାଇପାରେ ବୋଲି ବି ଅନୁମାନ ହେଉଛି। ପୁଲିସ୍‌ ପ୍ରଥମେ ମୃତକଙ୍କ ପରିଚୟ ଜାଣିବାକୁ ତଦନ୍ତ ଆରମ୍ଭ କରିଛି । ଏହାପରେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ଅଧିକାରୀ କହିଛନ୍ତି।

Also Read  CHSE to announce +2 arts, commerce and vocational studies results on May 31