ବଢ଼ିଲା ଅନୁକମ୍ପା ରାଶି : ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

0
576

ଭୁବନେଶ୍ୱର : ଫେବୃଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ । ମୋଟ୍ ୫ଟି ପର୍ଯ୍ୟାୟରେ ହେବ ମତଦାନ । ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ  ନିର୍ବାଚନ କମିଶନର । ଏପରିକି ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୂର୍ବରୁ ଲାଗୁଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବଢ଼ାଇ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର।

ରାଜ୍ୟ  ନିର୍ବାଚନ କମିଶନର କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ୩୦ ଲକ୍ଷର ଅନୁକମ୍ପା ରାଶି ମିଳିବ । ଏହାବାଦ ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ମୃତ୍ୟୁ ପାଇଁ ମଧ୍ୟ ମିଳିବ ଅନୁକମ୍ପା । ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ ।

ନିର୍ବାଚନ ଡ୍ୟୁଟି ସମୟରେ ହିଂସାକାଣ୍ଡ ଘଟି ଏଥିରେ ନିୟୋଜିତ କର୍ମଚାରୀଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ । ନିର୍ବାଚନ ଡ୍ୟୁଟିରେ ଥାଇ ଦୁର୍ଘଟଣାରେ ଆଖି, ଅଙ୍ଗହାନୀ ହେଲେ ୭.୫ ଲକ୍ଷ ମିଳିବ। ଡ୍ୟୁଟିରେ ଥାଇ ଗୁରୁତର ଆହତ ହେଲେ ମିଳିବ ୨ ଲକ୍ଷର ଅନୁକମ୍ପା । ସେହିପରି ଡ୍ୟୁଟିରେ ଥାଇ କୋଭିଡରେ ମୃତ୍ୟୁ ହେଲେ ୩୦ ଲକ୍ଷର ସହାୟତା ରାଶି ମିଳିବ । ଏହି ସୁବିଧା ସରକାରୀ ଓ ପ୍ରାଇଭେଟ ଗାଡ଼ି ଡ୍ରାଇଭର ଓ ହେଲପର ବି ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮ ହଜାର ୭ଶହ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଏହାବାଦ ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି ।

କଟକର ସରକାରୀ ପ୍ରେସରୁ ଏହି ବାଲଟ ପେପରକୁ ସୁରକ୍ଷିତ ଭାବେ ଜିଲ୍ଲାଗୁଡିକୁ ଯାଇଛି। ବାକି ଜିଲ୍ଲାର ବାଲଟ ପେପର ଆସନ୍ତାକାଲି ଓ ୨୧ ତାରିଖରେ ପଠାଯିବ । ପ୍ରତି ଜିଲ୍ଲାକୁ ୱାଟର ମାର୍କ ବାଲାଟ୍ ପେପର ପଠାଯାଉଛି । ୱାର୍ଡମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପୀ ଓ ସମିତି ସଭ୍ୟ ପାଇଁ ନୀଳ ରଙ୍ଗର ବାଲାଟ୍ ପେପର ପଠାଯାଉଛି । ଏହି ବାଲାଟ୍ ପେପରଗୁଡିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବ । ଠିକ ସମୟରେ ସେଗୁଡିକୁ ବ୍ଲକକୁ ପଠାଯିବ ବୋଲି କହିଛନ୍ତି ଅଧିକାରୀ।

Also Read  Odisha reports 1528 new COVID-19 cases and 14 deaths in 24 hours