ଭିସା ପାଇଁ ଲାଞ୍ଚ ମାମଲାରେ କଂଗ୍ରେସ ସାଂସଦ କାର୍ତି ଚିଦମ୍ବରମ୍‌ଙ୍କ ଘନିଷ୍ଠ ସହଯୋଗୀ ଗିରଫ

0
708

ନୂଆଦିଲ୍ଲୀ: ଭିସା ପାଇଁ ଲାଞ୍ଚ ମାମଲାରେ କଂଗ୍ରେସ ସାଂସଦ କାର୍ତି ଚିଦମ୍ବରମ୍‌ଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଆଜି ‘ସିବିଆଇ’ ଗିରଫ କରିଛି। ମଙ୍ଗଳବାର ରାତିରେ ଜେରା କରାଯିବା ପରେ ଏସ୍‌. ଭାସ୍କର ରମନ୍‌ ନାମକ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ଜଣେ ବରିଷ୍ଠ ‘ସିବିଆଇ’ ଅଧିକାରୀ କହିଛନ୍ତି। ମଙ୍ଗଳବାର ଦିନ ‘ସିବିଆଇ’ କାର୍ତି ପି. ଚିଦମ୍ବରମ୍‌, ତାଙ୍କ ଘନିଷ୍ଠ ସହଯୋଗୀ ଏସ୍‌. ଭାସ୍କରରମଣ, ପଞ୍ଜାବର ମନସାସ୍ଥିତ ‘ମେସର୍ସ ତାଲୱାନ୍ଦି ସାବୋ ଲିମିଟେଡ୍‌’ ଓ ମହାରାଷ୍ଟ୍ର ଅନ୍ତର୍ଗତ ମୁମ୍ବାଇସ୍ଥିତ ‘ମେସର୍ସ ବେଲ୍‌ ଟୁଲ୍‌ସ୍‌ ଲିମିଟେଡ୍‌’ର ପ୍ରତିନିଧିତ୍ବ କରୁଥିବା ବିକାଶ ମଖାରିଆ ଏବଂ କେତେକ ଅଜ୍ଞାତ ସରକାରୀ କର୍ମଚାରୀ ଏବଂ ସାଧାରଣ ବ୍ୟକ୍ତିବିଶେଷ ଆଦି ୫ଜଣ ଅଭିଯୁକ୍ତଙ୍କ ନାମରେ ‘ସିବିଆଇ’ ମାମଲା ରୁଜୁ କରିଥିଲା।

୫୦ ଲକ୍ଷ ଟଙ୍କା ଲାଞ୍ଚ ବିନିମୟରେ ‘ମେସର୍ସ ତାଲୱାନ୍ଦି ସାବୋ ଲିମିଟେଡ୍‌’ ନିମନ୍ତେ ଚୀନା କର୍ମଚାରୀଙ୍କ ନିମନ୍ତେ ଭିସା କରାଇଦେବା ଘଟଣା‌ରେ କଂଗ୍ରେସ ନେତା କାର୍ତି ଚିଦମ୍ବରମ୍‌ ଜଡ଼ିତ ଥିବା କଥା କୁହାଯାଉଛି। ଏହି ମାମଲାରେ ମଙ୍ଗଳବାର ଦିନ ‘ସିବିଆଇ’ ତାଙ୍କ ବାସଭବନ ଏବଂ ଅଫିସ୍‌ରେ ଚଢ଼ାଉ କରି ଖାନତଲାସ କରିଥିଲା।

୨୦୧୧ରେ ‘ଉପା’ ସରକାର ଅମଳରେ କାର୍ତି ଚିଦମ୍ବରମ୍‌ଙ୍କ ଲାଞ୍ଚ ପାଇଁ ଗୃହମନ୍ତ୍ରାଳୟ ଉକ୍ତ ଚୀନା ନାଗରିକମାନଙ୍କ ‘ଭିସା’ ପାଇଁ ଅନୁମତି ଦେଇଥି‌ଲା ବୋଲି ଅଭିଯୋଗ ହେଉଛି। ଯେଉଁ ମାସରେ ଭିସା ପାଇଁ ଆବେଦନ କରାଯାଇଥିଲା, ସେହି ମାସରେ ହିଁ ଗୃହମନ୍ତ୍ରାଳୟ ଆବେଦନ ଅନୁମ‌ୋଦନ କରି ଭିସା ମଞ୍ଜୁର କରିଥିଲା। କୁହାଯାଉଛି କାରଖାନା ନିମନ୍ତେ ଛୁରି ନିର୍ମାଣ କରୁଥିବା ଉକ୍ତ କମ୍ପାନିକୁ ଜାଲ୍‌ ‘ଇନ୍‌ଭଏସ୍‌’ରେ ‘କନ୍‌ସଲଟାନ୍‌ସି ସର୍ଭିସେସ୍‌ ଆଣ୍ଡ୍‌ ଭିସା ୱାର୍କ’ ଭାବେ ଦର୍ଶାଇ କାର୍ତିଙ୍କୁ କୋଟି କୋଟି ଟଙ୍କା ଦେଇଥିବା କୁହାଯାଉଛି।

Also Read  ଖରାଦିନେ ଲେମ୍ବୁ ଦରରେ ଲାଗିଛି ନିଆଁ; ୮ରୁ ୧୦ ଟଙ୍କାରେ ମିଳୁଛି ମାତ୍ର ଗୋଟିଏ ଲେମ୍ବୁ