ନୂଆଦିଲ୍ଲୀ: ପବିତ୍ର ରାମ ନବମୀ ଅବସରରେ ହଷ୍ଟେଲରେ ଆମିଷ ଖାଦ୍ୟ ପରିବେଷଣକୁ ନେଇ ଦିଲ୍ଲୀସ୍ଥିତ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ । ଏବିଭିପି ଛାତ୍ର ଏବଂ ବାମପନ୍ଥୀ ଛାତ୍ରଙ୍କ ମଧ୍ୟରେ ଏ ନେଇ ବିବାଦ ବଢିଛି । ପରସ୍ପର ଉପରକୁ ଢେଲା, ପଥର ମାଡ କରିଥିବା ସୂଚନା ରହିଛି । ଏଥିରେ ଅକ୍ଷିତା ଅନସାରୀ ନାମକ ଜଣେ ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଉଭୟ ପକ୍ଷ ପରସ୍ପରକୁ ପଥର ମାଡ଼ କରିଥିବା ଅଭିଯୋଗ ରହିଛି। ଅନେକ ଛାତ୍ର ମଧ୍ୟ ଏହି ହିଂସାକାଣ୍ଡରେ ଆହତ ହୋଇଥିବା ସୂଚନା ରହିଛି। ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନର ସୂଚନା ଅନୁଯାୟୀ, କାବେରୀ ହଷ୍ଟେଲରେ ଆମିଷ ଖାଦ୍ୟ ରନ୍ଧାକୁ ଏବିଭିପିର ଛାତ୍ରମାନେ ବିରୋଧ କରିଥିଲେ। ଏହାପରେ ଅଟକାଇବାକୁ ଉଦ୍ୟମ କରିବା ପରେ ଅପରାହ୍ନରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା।
କାବେରୀ ହଷ୍ଟେଲ ଓ ଏହାର ଆଖପାଖ ଅଞ୍ଚଳରେ ଦଙ୍ଗା ଜାରି ରଖିବା ସହ ବାଇକ୍ ଭଙ୍ଗାରୁଜା ହୋଇଛି। ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଛନ୍ତି ଏବିଭିପି ଛାତ୍ର। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଛାତ୍ରମାନେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବା ସତ୍ତ୍ୱେ ସେମାନେ କିଛି କରିବାକୁ ମନା କରିଥିଲେ। ଏବିଭିପି ଛାତ୍ରଛାତ୍ରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଶାନ୍ତିପୂର୍ଣ୍ଣ କ୍ୟାମ୍ପସ ପରିବେଶକୁ ବ୍ୟାହତ କରିବାର ପ୍ରୟାସକୁ ନିନ୍ଦା କରୁଛୁ ବୋଲି ଛାତ୍ର ସଂସଦ ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ଏବିଭିପି ଦାବି କରିଛି ଯେ ‘ବାମପନ୍ଥୀ’ ଛାତ୍ରମାନେ ବିଳମ୍ବିତ ରାତିରେ ହଷ୍ଟେଲରେ ଚାଲିଥିବା ରାମନବମୀ ପୂଜାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। ରାମ ନବମୀ ଅବସରରେ ଜେଏନୟୁର କାବେରୀ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏହି ଉତ୍ସବ ପାଳନ କରିବା ପାଇଁ ଏକ ପୂଜାର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜେଏନୟୁର ଅନେକ ଛାତ୍ରଛାତ୍ରୀ ଯୋଗ ଦେବାର ଥିଲା। ହଷ୍ଟେଲରେ ଶାନ୍ତିଶୃଙ୍ଖଳାର ସହ ଓ ଏକାସାଙ୍ଗରେ ରମଜାନ ମଧ୍ୟ ପାଳନ ହେଉଛି। ଏହି ପୂଜା ସାଢ଼େ 3ଟାରେ ଆରମ୍ଭ ହେବାର ଥିଲା, କିନ୍ତୁ ବାମପନ୍ଥୀ ଛାତ୍ରଙ୍କ ହଟ୍ଟଗୋଳ ଯୋଗୁଁ ଏହା ସନ୍ଧ୍ୟା 5ଟାରେ ହିଁ ଆରମ୍ଭ ହୋଇଥିଲା।
ଏହି ପୂଜାରେ ଜେଏନୟୁର ଅନେକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ବାମପନ୍ଥୀମାନେ ଏହାକୁ ବିରୋଧ କରିବା ଓ ପୂଜାକୁ ରୋକିବା ପାଇଁ ଆସିଥିଲେ। ଆମିଷ ଖାଇବାକୁ ନେଇ ଯେଉଁ ପ୍ରସଙ୍ଗ ଉଠିଛି ତାହା ମିଛ ବୋଲି ଏବିଭିପି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ସେପଟେ ଡିସିପି କହିଛନ୍ତି, ପରିସ୍ଥିତି ଶାନ୍ତ ରହିଛି ଏବଂ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଳମ୍ବିତ ରାତିରେ ଉଭୟ ଛାତ୍ର ସଂଗଠନ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ ।