ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଅନେକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ପୁଲିସ କର୍ମଚାରୀ ରହିଥିବା ସୂଚନା ରହିଛି । ବିଜେପି ନେତା ପୃଥିବୀ ହରିଚନ୍ଦନ କହିଛନ୍ତି 20ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଧାୟକ ନିଜେ ଗାଡି ଚଳାଉଥିଲେ। ଆଉ ସେ ପ୍ରଚୁର ମଦ ପିଇଥିଲେ ବୋଲି ସେ କହିଛନ୍ତି।
ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ରହିଛି। ବାଣପୁର ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ବେଳେ ବାହୁବଳି ବିଧାୟକ ଲୋକଙ୍କ ଉପରେ ଗାଡି ମଡାଇ ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଉତ୍ତ୍ୟକ୍ତ ଲୋକେ ଚିଲିକା ବିଧାୟକଙ୍କୁ ମଧ୍ୟ ଲୋକେ ପ୍ରତି ଆକ୍ରମଣ କରିଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ଏବେ ଲହୁ ଲୁହାଣ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଖୋର୍ଦ୍ଦା ଏସପି ଅଲେଖ ଚନ୍ଦ୍ର ପହି କହିଛନ୍ତି, 10ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସାତ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଆଇଆଇସି ରହିଛନ୍ତି। ସେ ଘଟଣାସ୍ଥଳକୁ ଯାଉଛନ୍ତି। ଏବେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଘଟଣାସ୍ଥଳରେ ଅଧିକ ପୁଲିସ ଫୋର୍ସ ମୁତ୍ତୟନ ହେବାକୁ ଯାଉଛନ୍ତି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ଦବଙ୍ଗଗିରି ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବିଜେପି କର୍ମୀଙ୍କୁ ମାଡ ମାରିବା ଅଭିଯୋଗ ହୋଇଥିଲା। ହାଇକୋର୍ଟରେ ମାମଲା ପହଞ୍ଚିବା ପରେ ଜେଲଦଣ୍ଡାଦେଶ ଦେଇଥିଲେ କୋର୍ଟ । କିନ୍ତୁ ଅସୁସ୍ଥ ଦେଖାଇ ଦୀର୍ଘ ଦିନ ହସ୍ପିଟାଲରେ ରହିବା ପରେ ଜାମିନ ପାଇଥିଲେ ପ୍ରଶାନ୍ତ । ମାଡ ମାରିବା ଅଭିଯୋଗରେ ବିଜେଡି ତାଙ୍କୁ ନିଲମ୍ବନ କରିଥିଲା। ହେଲେ ପଞ୍ଚାୟତ ନିର୍ବାଚନ ବେଳେ ସେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

























