ସୁନ୍ଦରୀ ହେବେ ସରପଞ୍ଚ ! ଗାଁରେ ଗ୍ଲାମର୍ ଗର୍ଲକୁ ନେଇ ଚର୍ଚ୍ଚା

0
961

ବଲାଙ୍ଗିର : ପଞ୍ଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଗାଁ ଦାଣ୍ଡ। ସବୁ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରାର୍ଥୀ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ଏଥର ବିଭିନ୍ନ ବ୍ୟାକଗ୍ରାଉଣ୍ଡରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିର କିଏ ଚାକିରିଆ ତ କିଏ ଉଚ୍ଚଶିକ୍ଷିତ ପଞ୍ଚାୟତ ନିର୍ବାଚନରେ ପରାକ୍ରମ ଦେଖାଇବାକୁ ଅଣ୍ଟା ଭିଡ଼ିଛନ୍ତି। ତେବେ ଏଥର ପଞ୍ଚାୟତ ନିର୍ବାଚନକୁ ଏଣ୍ଟ୍ରୀ ମାରିଛନ୍ତି ସୁନ୍ଦରୀ ମଡେଲ। ସେହି ମଡେଲ୍ ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଚୁଡାପାଲି ପଞ୍ଚାୟତର ପ୍ରିୟଙ୍କା ନନ୍ଦ।

ପ୍ରିୟଙ୍କା ରାଜ୍ୟ ବାହାରେ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି। ସେ ପେସାଦାର ମଡେଲ ଭାବେ କାମ କରୁଛନ୍ତି। କିନ୍ତୁ ଏଥର ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ଭଉଣୀ ଶ୍ୱେତା ନନ୍ଦ ସାଜିଛନ୍ତି ପ୍ରଚାରକ । ଢୁଳୁସର ଗାଁରେ ପ୍ରିୟଙ୍କା ଓ ତାଙ୍କ ବଡ ଭଉଣୀ ଶ୍ୱେତା ନନ୍ଦଙ୍କ ଜନ୍ମଗ୍ରହଣ କରିଛନ୍ତି। ଉଭୟ ପ୍ରାଥମିକ ଶିକ୍ଷା ପରେ ବାହାରେ ରହି ପାଠ ବଢୁଥିଲେ। ଏବେ ଶ୍ୱେତା ବେଙ୍ଗାଲୁରୁରେ ଜଣେ ପ୍ରଫେସନାଲ ମଡେଲ ଭାବେ କାମ କରୁଥିବା ବେଲେ ପ୍ରିୟଙ୍କା ମଧ୍ୟ ଭୋପାଳରେ ପେସାଦାର ମଡେଲ ଭାବେ ବିଭିନ୍ନ ଏଜେନ୍ସି ସହ କାମ କରୁଛନ୍ତି ।

ଉଚ୍ଚ ଶିକ୍ଷା ପରେ ପ୍ରିୟଙ୍କା ୨୦୧୫ ମସିହାରେ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ସେହି ବର୍ଷ ହିଁ ଗୋଟିଏ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମିସ ଫଟୋଜୋନିକ ହୋଇଥିଲେ। ତାପରେ ସେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ୨୦୨୦ ମସିହାରେ ପ୍ରିୟଙ୍କା ଇଣ୍ଡିଆନ ଷ୍ଟାଇଲ ଆଇକନ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ। ଏବେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ସହିତ ସେ କାମ କରୁଛନ୍ତି। ଜଣାଶୁଣା ମଡେଲିଂ ଏଜେନ୍ସି ସିଏଫଆଇ ସହିତ ଜଡିତ ପ୍ରିୟଙ୍କା ନିଜ ଗାଁର ବିକାଶ ପାଇଁ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଏନେଇ ପ୍ରିୟଙ୍କା କହିଛନ୍ତି, ପାଖାପାଖି ୬-୭ ବର୍ଷ ମୁଁ ବାହାର ରହି ପାଠ ପଢ଼ିଛି। ବାହାରେ ଯେଉଁ ସବୁ ସୁବିଧା ଅଛି, ତାହା ଆମ ଗାଁରେ ନାହିଁ। ତେଣୁ ନିଜ ଗାଁରେ ସବୁ ସୁବିଧା କିପରି ପହଞ୍ଚାଯାଇ ପାରିବ, ସେଥି ପାଇଁ ମୁଁ ସବୁ କାମ ଛାଡ଼ି ଏଠାକୁ ଆସିଛି। ଯଦି ମୁଁ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେଲି, ତାହେଲେ ଗାଁର ନକସା ବଦଳାଇ ଦେବି।

ସେହିପରି ପ୍ରିୟଙ୍କାଙ୍କ ଭଉଣୀ ଶ୍ୱେତା କହିଛନ୍ତି, ପ୍ରିୟଙ୍କା ବହୁତ ପରିଶ୍ରମ କରନ୍ତି। ସେ ଅନ୍ତରରୁ ଗାଁ ପାଇଁ କିଛି କରିବାକୁ ଚାହେଁ। ତେଣୁ ଆମର ପୂରା ପରିବାର ତାକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଲୁ ବୋଲି ଶ୍ୱେତା କହିଛନ୍ତି। ସୂଚନାଯୋଗ୍ୟ, ପ୍ରିୟଙ୍କା ମାଛ ଚିହ୍ନରେ ସରପଞ୍ଚ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏବେ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି। ତାଙ୍କ ସହ ତାଙ୍କ ଭଉଣୀ ଶ୍ୱେତା ଓ ପୂରା ପରିବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

Also Read  Puri Sadar JE under vigilance net: Caught red handed while taking bribe