ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା

0
842

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲାର ଶୁଣାଣି ୪ ସପ୍ତାହ ଲାଗି ଘୁଞ୍ଚିଲା। ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଓଡ଼ିଶା ସରକାର ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପତ୍ର ଲେଖି ଜଣାଇବା ପରେ ଜଣାଇବା ପରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାଯାଇଛି। କୋଟିଆକୁ ନେଇ ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାର ସମାଧାନ ରାଜନୈତିକ ସ୍ତରରେ କରିବାକୁ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରିଥିଲେ। ଯାହା ଫଳରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି।

ସୂଚନାଯୋଗ୍ୟ, ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ମାମଲାରେ ଆଜି ଆନ୍ଧ୍ରପ୍ରଦେଶକୁ ଶକ୍ତ ଝଟ୍‌କା ଲାଗିଥିଲା। କୋଟିଆରେ ଗତବର୍ଷ ଫେବ୍ରୁଆରିରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିଥିଲେ। ଏହାକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାକୁ ରଦ୍ଦ କରିବା ପାଇଁ ଆନ୍ଧ୍ର ସରକାରଙ୍କ ନିବେଦନକୁ ସୁପ୍ରିମକୋର୍ଟ ସିଧାସଳଖ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଏମ୍‌ ଖାନୱିଲକର ଓ ବିଚାରପତି ଜଷ୍ଟିସ୍‌ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଉ ଏକ ପାଦେ ଆଗକୁ ଯାଇ ସ୍ପଷ୍ଟ କରିଦେଇଛନ୍ତି ଯେ ରାଜନୈତିକ ସ୍ତରରେ ଆଲୋଚନା ଜରିଆରେ ମାମଲାର ସମାଧାନ କର। ଯଦି ନ ହୋଇପାରିଲା, ତେବେ ଜାନୁଆରିରେ ଏହାର ଶୁଣାଣି କରାଯିବ।

ଏହି ବିବାଦୀୟ ମାମଲାର ଶୁଣାଣି ବେଳେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲାର ସମାଧାନକୁ ନେଇ ଆରମ୍ଭ ହୋଇଥିବା ପ୍ରୟାସ ସଂପର୍କରେ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏବଂ ଆଡଭୋକେଟ ଅନ ରେକର୍ଡ ଶିବ ଶଙ୍କର ମିଶ୍ର କୋଟିଆ ମାମଲାର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମିଳିତ ବୈଠକ ଜରିଆରେ ଯେଉଁ ରାଜନୈତିକ ବାତାବରଣ ସୃଷ୍ଟି କରିଛନ୍ତି ଏବଂ ଆଲୋଚନାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେ ନେଇ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଓଡ଼ିଶା ସରକାରଙ୍କ ନିମନ୍ତ୍ରଣ କ୍ରମେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନଭେମ୍ବର ୯ରେ ଓଡ଼ିଶା ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

Also Read  Post Ban by SC on BS-III vehicles; price of petrol and diesel slashed by Oil firms all over