ସେନା ପୋଷାକ ପିନ୍ଧି ବିବାଦରେ ପ୍ରଧାନମନ୍ତ୍ରୀ ମୋଦି : ପିଏମଓକୁ ଗଲା କୋର୍ଟ ନୋଟିସ

0
1165

ଲକ୍ଷ୍ନୌ: ଭାରତୀୟ ସେନାର ପୋଷାକ ପିନ୍ଧି ଅଡ଼ୁଆରେ ପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତବର୍ଷ କଶ୍ମୀର ଯିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେନା ପୋଷାକ ପିନ୍ଧିଥିଲେ। ଏହା ବିରୋଧରେ ଆଗତ ଆବେଦନର ଶୁଣାଣି କରି ଉତ୍ତର ପ୍ରଦେଶର ଗୋଟିଏ ଜିଲ୍ଲା କୋର୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)କୁ ନୋଟିସ କରିଛନ୍ତି। ଆବେଦନକାରୀ ଶୁଣାଣି ବେଳେ ଏପରି ପୋଷାକ ପରିଧାନ ଦଣ୍ଡନୀୟ ଅପରାଧ ବୋଲି କୋର୍ଟଙ୍କୁ ଜଣାଇଛନ୍ତି।

ମୋଦିଙ୍କ ସେନା ପୋଷାକ ପରିଧାନକୁ ବିରୋଧ କରି ପ୍ରୟାଗରାଜ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଦେଶର ସୈନ୍ୟ, ସେଲର ଓ ଏୟାରମ୍ୟାନଙ୍କ କୌଣସି ଜିନିଷକୁ ସାଧାରଣ ଲୋକ ବ୍ୟବହାର କରିବା ଆଇପିସିର ଧାରା ୧୪୦ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଆଇନଜୀବୀ ରାକେଶ ନାଥ ପାଣ୍ଡେଙ୍କ ଯୁକ୍ତି ଶୁଣିବା ପରେ ଜିଲ୍ଲା ଜଜ ନଳୀନ କୁମାର ଶ୍ରୀବାସ୍ତବ ପିଏମଓକୁ ନୋଟିସ କରିଛନ୍ତି।

ଶ୍ରୀ ପାଣ୍ଡେ ପ୍ରଥମେ ଗତବର୍ଷ ଡିସେମ୍ବର ମାସରେ ଏସଂକ୍ରାନ୍ତ ଆବେଦନ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ହରେନ୍ଦ୍ରନାଥଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ଏହା ତାଙ୍କ ବିଚାର ପରିସର ମଧ୍ୟରେ ଆସୁ ନଥିବାରୁ ଆବେଦନ ଖାରଜ ହୋଇଥିଲା। ଏହାକୁ ଶ୍ରୀ ପାଣ୍ଡେ ଜିଲ୍ଲା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାକୁ ଗ୍ରହଣ କରି କୋର୍ଟ ପିଏମଓକୁ ନୋଟିସ କରିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨ରେ ହେବ।

ସୂଚନାଯୋଗ୍ୟ, ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପାଳିବା ପାଇଁ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟର୍‌ରେ ପହଞ୍ଚିଥିଲେ। ଏହି ସମୟରେ ସେ ସେନା ପୋଷାକ ପରିଧାନ କରିବା ସହ ଯବାନମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଥିଲେ। ଦୀପାବଳି ପାଳନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେନା ବାହିନୀ ପାଇଁ ସରକାର ନେଇଥିବା ନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ଯବାନଙ୍କୁ ଅବଗତ କରାଇଥିଲେ।

Also Read  Modi urges partnership with oil producers, Saudi output to rise