ସୋମବାରଠୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କୁ ମନା

0
667
ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କୁ ମନା
ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କୁ ମନା

ପୁରୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ କରାଯାଇଛି। ଆସନ୍ତା ସୋମବାର ଠାରୁ ଆଉ ବାହାର ଜିଲ୍ଲାର ଲୋକଙ୍କ ଶବକୁ ଏଠାରେ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ଶବଦାହ ଅନୁମତି ମିଳିଛି। ପୁରୀ ଉପଜିଲ୍ଲାପାଳ ଆଜି ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ି ଚାଲିଛି। କାହାକୁ କୋଭିଡ୍ ହୋଇଛି ବା କାହାକୁ କୋଭିଡ୍ ହୋଇନି ଜାଣିବା ମୁସ୍କିଲ୍‌। ପୁଣି ସ୍ୱର୍ଗଦ୍ୱାରର କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସୋମବାର ଠାରୁ ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାରେ ଯେଉଁମାନଙ୍କର ମୃତ୍ୟୁ ଘଟିଥିବ ସେମାନଙ୍କ ଶବକୁ ସ୍ୱର୍ଗଦ୍ୱାରରେ ଦାହ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲ୍ଲାର ଯେଉଁ ଲୋକଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ଶବକୁ ଏଠାରେ ଦାହ କରିବାକୁ ଅନୁମତି ମିଳିବ। ଏଥିପାଇଁ ପରିଚୟ ପତ୍ର ଦେଖାଇବାକୁ ହେବ। ତା’ସହିତ ମୃତ ବ୍ୟକ୍ତିଙ୍କୁ କୋଭିଡ୍ ହୋଇ ନଥିବା ନେଇ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ସାମୟିକ ସମୟ ପାଇଁ ଏହି କଟକଣା ଲାଗୁ କରାଯାଇଛି। ପରିସ୍ଥିତି ଠିକ୍‌ଠାକ୍ ହେଲେ ପୁଣି ପୂର୍ବ ବ୍ୟବସ୍ଥା ଲାଗୁ କରାଯିବ। ତେଣୁ ଏଥିରେ ଜନସାଧାରଣ ସହଯୋଗ କରିବା ଆବଶ୍ୟକ। ସେହିପରି ଆସନ୍ତା ସୋମବାର ଠାରୁ ଭକ୍ତ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଲୋକେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ। ବର୍ଦ୍ଧିତ କରୋନା ସଂକ୍ରମଣ ସହିତ କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍‌ର କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ଯୋଗୁ ଏଭଳି ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ରବିବାର ପଡ଼ୁଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ତେଣୁ ଆଜି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଲାଗିଛି। ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Also Read  Rayagada: Couple Sell Newborn Girl for Rs 20,000