ଆଗ୍ରା: ବାରମ୍ବାର ନିର୍ବାଚନରେ ପରାଜୟର ସ୍ୱାଦ ଚାଖୁଥିଲେ ମଧ୍ୟ ଆଶା ହରାଇ ନାହାନ୍ତି ଜଣେ ୭୪ ବର୍ଷୀୟ ବୃଦ୍ଧ। ସେ ତାଙ୍କ କ୍ୟାରିୟର ମଧ୍ୟରେ ଏଯାଏ ୯୩ ଥର ନିର୍ବାଚନ ଲଢ଼ିଥିଲେ ହେଁ କୌଣସି ଥର ବି ଜିତିବାକୁ ସକ୍ଷମ ହୋଇନାହାନ୍ତି। ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ୭୪ ବର୍ଷୀୟ ବୃଦ୍ଧ ଜଣଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କରିଛନ୍ତି। ସେ ଏହାକୁ ମିଶାଇ ୯୪ଥର ପାଇଁ ନିର୍ବାଚନରେ ନିଜ ଭାଗ୍ୟ କରିବାକୁ ଯାଉଛନ୍ତି।
୯୪ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଥିବା ବୃଦ୍ଧ ଜଣଙ୍କ ହେଉଛନ୍ତି ହସୁନରାମ ଆମ୍ବେଦକରୀ। ସେ ଆଗ୍ରାର ଖେରାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ସବୁଥର ଭରି ଏଥିର ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ। ହସନୁରାମ ଜଣେ ଫାର୍ମ ଶ୍ରମିକ ଓ ତାଙ୍କ ପାଖରେ ଏମଜିନରେଗା କାର୍ଡ ମଧ୍ୟ ରହିଛି। ସେ କୌଣସି ସ୍କୁଲ ଶିକ୍ଷା ଗ୍ରହଣ କରିନାହାନ୍ତି। କିନ୍ତୁ ଭଲ ହିନ୍ଦୀ ଓ ଇଂରାଜୀ କହିବା ସହ ଲେଖିପାରନ୍ତି। ସେ ୧୯୮୫ରୁ ନିୟମିତ ଭାବେ ଲୋକସଭା, ବିଧାନସଭା ଓ ପଞ୍ଚାୟତ ନିର୍ବାଚନ ବେଳେ ଭିନ୍ନଭିନ୍ନ ଆସନରୁ ପ୍ରାର୍ଥୀ ହେଇ ନିର୍ବାଚନ ଲଢ଼ୁଛନ୍ତି। ୧୯୮୮ରେ ହସନୁରାମ ରାଷ୍ଟ୍ରପତି ନିର୍ବାଚନ ବେଳେ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। ତେବେ ଏହାକୁ ଖାରଜ କରି ଦିଆଯାଇଥିଲା।
ଯେଉଁ ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନରେ ଜିତି ନାହାନ୍ତି, ସେ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରି ଏମିତି ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ନିର୍ବାଚନ ହାରିବା ପାଇଁ ଲଢ଼ୁଛି। ନିର୍ବାଚନ ଜିତୁଥିବା ରାଜନେତାମାନେ ଲୋକଙ୍କୁ ଭୁଲି ଯାଉଛନ୍ତି। ମୁଁ ୧୦୦ ଥର ନିର୍ବାଚନ ହାରି ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛି। ମୋ ବିରୋଧରେ କିଏ ପ୍ରାର୍ଥୀ ହେଉଛନ୍ତି, ସେକଥା ମୁଁ କେବେ ବି ଦେଖେନି। ମୁଁ ଆମ୍ବେଦକରଙ୍କ ଆଦର୍ଶରେ ନିର୍ବାଚନ ଲଢ଼ି ଲୋକଙ୍କ ଆଗରେ ଗୋଟିଏ ବିକଳ୍ପ ଭାବେ ଛିଡ଼ା ହେଉଛି। ସେମାନେ ମୋତେ ଚାହିଁଲେ ଭୋଟ ଦେଇପାରିବେ।”
ଆମ୍ବେଦକରୀ ୨୦୧୯ ଲୋକସଭା ନିର୍ବାଚନ ବେଳେ ଆଗ୍ରା ଓ ଫତେପୁର ସିକ୍ରିରୁ ପ୍ରାର୍ଥୀ ହୋଇଥିଲେ। ହେଲେ ତାଙ୍କୁ ନିର୍ବାଚନରେ ଅମାନତ ହରାଇବାକୁ ପଡ଼ିଥିଲା। ୨୦୨୧ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଲଢ଼ି ମଧ୍ୟ ସେ ହାରିଛନ୍ତି। ଆଜି ଯାଏ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୯୮୯ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏହି ନିର୍ବାଚନରେ ସେ ଫିରୋଜାବାଦରୁ ପ୍ରାର୍ଥୀ ହୋଇଥିଲେ ଓ ତାଙ୍କୁ ୩୬ ହଜାର ଭୋଟ ମିଳିଥିଲା।
ଏଥର ବିଧାନସଭା ନିର୍ବାଚନରେ ସେ ପ୍ରାର୍ଥୀ ହୋଇଥିବାରୁ ଘର ଘର ବୁଲି ପ୍ରଚାର କରୁଛନ୍ତି। ହସନୁରାମଙ୍କ ସହ ତାଙ୍କ ପତ୍ନୀ ଓ କିଛି ସମର୍ଥକ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। କିଛି ଦିନ ପାଇଁ ସେ ମୟାବତୀଙ୍କ ବିଏସ୍ପିର ସଦସ୍ୟ ମଧ୍ୟ ଥିଲେ। ହସନୁରାମ କହିଛନ୍ତି, “ମୁଁ ବିଏଏମସିଏଫର ଜଣେ କର୍ମୀ। ଏଥିସହ ବିଏସ୍ପି ଉତ୍ତର ପ୍ରଦେଶରେ ଶକ୍ତିଶାଳୀ କରିବାକୁ ମୁଁ ମୂଳରୁ କାମ କରିଥିଲି। ୧୯୮୫ରେ ମୁଁ ଯେତେବେଳେ ଟିକେଟ ମାଗିଲି ମୋତେ ନିରାଶ କରାଯାଇଥିଲା। ଏପରି କି ମୋ ସ୍ତ୍ରୀ ମଧ୍ୟ ମୋତେ ଭୋଟ ଦେବେନି ବୋଲି ସେତେବେଳେ ତାଚ୍ଛଲ୍ୟ କରାଯାଇଥିଲା। ସେବେଠାରୁ ମୁଁ ପ୍ରତିଟି ନିର୍ବାଚନ ସ୍ୱାଧୀନ ଭାବେ ଲଢ଼ି ଚାଲିଛି।”