ବହୁଚର୍ଚ୍ଚିତ ପୁରୀ ମାନସ ବଳିୟାରସିଂ ହତ୍ୟା ମାମଲା: ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

0
532
20-persons-get-life-imprisonment-in-a murder-case in Puri

ପୁରୀ: ଦୀର୍ଘ ୧୦ ବର୍ଷ ପରେ ମିଳିଛି ନ୍ୟାୟ । ହତ୍ୟା ଅଭିଯୋଗରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ । ବହୁଚର୍ଚ୍ଚିତ ପୁରୀ ମାନସ ବଳିୟାରସିଂ ହତ୍ୟା ମାମଲାର ବିଚାର କରି ୨୦ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ଗଛ କଟାକୁ କେନ୍ଦ୍ରକରି ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ଅଂଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ମାମଲାରେ ୨୦ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି। ଏହି ରାୟ ଦେଇଛନ୍ତି ପୁରୀ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଲେଙ୍କା। ସୁବ୍ରତ ନାୟକଙ୍କ ସମେତ ଅନ୍ୟ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା ଲେଖାଏ ଜରିମାନା ହୋଇଛି।

୨୦୧୨ ସେପଟେମ୍ବର ୧୨ ତାରିଖରେ ପୁରୀ ଜିଲ୍ଲା କଣାସ ଥାନା ଚାଇଁପୁରା ଗାଁରେ ଏହି ଘଟଣା ଘଟିଥିଲା । ସରକାରୀ ଜମିରେ ଚାକୁଣ୍ଡା ଗଛ କଟାକୁ ନେଇ ମାନସ ବଳିୟାରସିଂହଙ୍କୁ ହତ୍ୟା କରାଯାଇଥିଲା। ମୃତ ମାନସଙ୍କ ବାପା ଆର୍ତ୍ତ୍ର ବଳିୟାରସିଂହଙ୍କ ଏତଲା କ୍ରମେ କଣାସ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପରେ ୨୧ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ସେମାନଙ୍କ ଭିତରୁ ଜଣେ ଅଭିଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକଙ୍କ ମୃତ୍ୟୁ ହୋଇ ସାରିଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାଜକିଶୋର ଲେଙ୍କା ୨୪ଜଣଙ୍କ ସାକ୍ଷୀ, ତଥ୍ୟ ଓ ପ୍ରମାଣର ବିଚାର କରି ମାମଲାର ଶୁଣାଣି ଶେଷରେ ଏହି ରାୟ ଦେଇଛନ୍ତି।

Also Read  Major fire breakout at Bargarh, 38 houses gutted to fire