ମଧ୍ୟପ୍ରଦେଶ: ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ଦେଉଥିବା ବିମାନ ଆଜି ସକାଳେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ସ୍ଥାନୀୟ ପୁଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣା ପରେ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରିଯାଇଥିଲେ ବି ଆହତ ହୋଇଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଦୁର୍ଘଟଣାର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଏକ ଖୋଲା ପଡ଼ିଆରେ ବିମାନଟି ଖସିପଡ଼ିଥିବା ଦେଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ଅଗଷ୍ଟ ୩ ଏବଂ ଅଗଷ୍ଟ ୨୫ରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟଙ୍କ ଜୀବନ ବଞ୍ଚିଯାଇଥିଲା। ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀର କାଠୁଆରେ ଥିବା ରଞ୍ଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ଅଗଷ୍ଟ ୨୫ରେ ରାଜସ୍ଥାନର ବାରମେରଠାରେ ଭାରତୀୟ ବାୟୁସେନାର ଏକ ମିଗ୍-୨୧ ବିସନ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନରେ ଥିବା ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଥିଲେ ।

























