ମମିତା ମେହେରଙ୍କ ହତ୍ୟା ଘଟଣା: ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା କାଣ୍ଡଠାରୁ କମ୍ ନୁହେଁ

0
425
ରଣଦୀପ ସୂର୍ଯ୍ୟେୱାଲା
ରଣଦୀପ ସୂର୍ଯ୍ୟେୱାଲା

ବଲାଙ୍ଗୀର : କଂଗ୍ରେସର ଜାତୀୟସ୍ତରୀୟ ନେତା ରଣଦୀପ ସୂର୍ଯ୍ୟେୱାଲା ବଲାଙ୍ଗୀର ଜିଲ୍ଲାର ଝରଣୀ ଗାଁରେ ମମିତା ମେହେରଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ ଭେଟିଛନ୍ତି। ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଏଠି ହତ୍ୟାକାରୀ ଏବଂ ଗୁଣ୍ଡା ଶାସନ ଗାଦିରେ ବସିଛନ୍ତି । କେବଳ ମମିତାଙ୍କ ହତ୍ୟା ହୋଇନି, ବରଂ ରାଜ୍ୟର ସବୁ ଝିଅଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲାଗିଯାଇଛି । ତେବେ ମମିତାଙ୍କୁ ନ୍ୟାୟ ପାଇଁ ଲଢେଇ ଜାରିରଖିବ କଂଗ୍ରେସ। ମହାପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ରାଜ୍ୟ ଅପରାଧ ପ୍ରଦେଶରେ ପରିଣତ ହୋଇଯାଇଥିବା ସେ କହିଛନ୍ତି ।

ରଣଦୀପ ସୂର୍ଯ୍ୟେୱାଲାଙ୍କ ସହ ଓଡ଼ିଶା ପ୍ରଭାରୀ ଡାକ୍ତର ଏ ଚେଲା କୁମାର, ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ପ୍ରମୁଖ ଯାଇଥିଲେ। ମୃତ ସନସାଇନ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଏଆଇସିସି ମମିତାଙ୍କ ମାଙ୍କ ଚିକିତ୍ସା କରିବ ବୋଲି ରଣଦୀପ ସୂର୍ଯ୍ୟେୱାଲା ଘୋଷଣା କରିଛନ୍ତି। ଦିଲ୍ଲୀରେ ତାଙ୍କର ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି। ଏହାଛଡ଼ା ଦୋଷୀ କୁ ଫାଶୀଦଣ୍ଡ ସହ ପରିବାରକୁ ୧ କୋଟି ସହାୟତା ରାଶି ପ୍ରଦାନ କରାଯାଉ ଏବଂ ପରିବାରର ଜଣକୁ ସରକାରୀ ଚାକିରି ଦିଆଯିବାକୁ ସେ ଦାବି କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଥାନାରେ ଏତଲା ଦେବା ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ହତ୍ୟା ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଉ। ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିବା ପାଇଁ ବି ଦାବି କରିଛନ୍ତି ସେ। ହତ୍ୟା ଘଟଣାର ଏସଆଇଟି ତଦନ୍ତ ଦାବି ମଧ୍ୟ କରିଛନ୍ତି ରଣଦୀପ ସୂର୍ଯ୍ୟେୱାଲା। ମମିତା ମେହେରଙ୍କ ହତ୍ୟା ଘଟଣାକୁ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା କାଣ୍ଡ ସହିତ ବି ଜାତୀୟସ୍ତରୀୟ ନେତା ରଣଦୀପ ସୂର୍ଯ୍ୟେୱାଲା ତୁଳନା କରିଛନ୍ତି। ଏହା ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା କାଣ୍ଡଠାରୁ କମ୍ ନୁହେଁ ବୋଲି ସେ କହିଛନ୍ତି।

ଦେଶରେ ଆଉ କେତେ ନିର୍ଭୟା ମରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା । ସେ କହିଛନ୍ତି, ମମିତାଙ୍କୁ ନ୍ୟାୟ ନମିଳିବା ଯାଏଁ, ଚୁପ୍ ବସିବନି କଂଗ୍ରେସ । ଏଠି ଯେହେତୁ ରକ୍ଷକ ନିଜେ ଭକ୍ଷକ ସାଜିଛନ୍ତି, ତେଣୁ ମମିତାଙ୍କୁ କେମିତି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ସେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏହା ସହ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧୀନରେ ଏକ ଏସଆଇଟି ଗଠନ କରି ଏହି ମାମଲାରେ ତଦନ୍ତ କରିବାକୁ ସେ କହିଛନ୍ତି । ଆଗାମୀ ଦିନରେ କେବଳ ରାଜ୍ୟ, ନୁହେଁ ପୂରା ଦେଶରେ ପ୍ରତିବାଦର ସ୍ୱର ଉଠିବ ବୋଲି କହିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ।

Also Read  Odisha Congress to give priority to women candidates