ଭୁବନେଶ୍ବର: ରାଜ୍ୟର ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଏବଂ ୩୩ଟି ଆଇଟିଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୧୧୪ଟି ପୌରାଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ରମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଏବଂ ୩୩ଟି ଆଇଟିଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
୫-ଟି ମନ୍ତ୍ର ଆଧାରରେ ବିଗତ କିଛି ବର୍ଷ ମଧ୍ୟରେ ସହରାଞ୍ଚଳମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା, ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା ଏବଂ ମିସନ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଏହି ସବୁ କେନ୍ଦ୍ରଗୁଡ଼ିକର ପରିଚାଳନା କରାଇ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ଏହି ସବୁ କେନ୍ଦ୍ରଗୁଡ଼ିକର ସୁପରିଚାଳନା ପାଇଁ ବ୍ୟାଟେରିଚାଳିତ ଗାଡ଼ି ଓ ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ରହିଛି। ସେହିସବୁ ଗାଡ଼ି ଓ ଯନ୍ତ୍ରପାତି ଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଜରୁରୀ, ଯାହା ସେହି କମ୍ପାନିମାନେ ଠିକ୍ ସମୟରେ ଏବଂ ସ୍ଥାନୀୟ ଭାବେ ଯୋଗାଇବା ସମ୍ଭବ ହେଉ ନାହିଁ । ଏହି ସବୁ ଗାଡ଼ି ଏବଂ ଯନ୍ତ୍ରପାତିଗୁଡ଼ିକର ରକ୍ଷଣାବେକ୍ଷଣକୁ ସହଜ କରିବା ପାଇଁ ଆମର ନଗର ଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ତରରେ ବୁଝାମଣା ସ୍ୱାକ୍ଷରିତ ହୋଇଛି।
ସେହିପରି ରାଜ୍ୟରେ ଥିବା ସମସ୍ତ ପୌରାଞ୍ଚଳ ଓ ଆ.ଟି.ଆଇ ମାନଙ୍କ ମଧ୍ୟରେ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟର ନିଜସ୍ୱ ଉପଲବ୍ଧ ସମ୍ବଳରେ ଏହି ବ୍ୟବସ୍ଥା କରାଯିବ। ଏହାଦ୍ବାରା ଆଇ.ଟି.ଆଇଗୁଡ଼ିକର ସ୍ଥାୟୀ ଆର୍ଥିକ ଆୟ ହୋଇପାରିବ ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟର ସହରାଞ୍ଚଳମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ।

























