‘ସ୍ମାର୍ଟ’ ଯୁଗର ମହାବିପ୍ଲବ ଝାରସୁଗୁଡାରେ ଆରମ୍ଭ : ୧ ଲକ୍ଷ ୧୫ ହଜାର ହିତାଧିକାରୀ ସୁବିଧା ପାଇବେ

0
357
ଝାରସୁଗୁଡାରେ ବିଏସକେୱାଇ ସ୍ମାର୍ଟ କାର୍ଡର ଶୁଭାରମ୍ଭ
ଝାରସୁଗୁଡାରେ ବିଏସକେୱାଇ ସ୍ମାର୍ଟ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ପ୍ରତିଟି ଜୀବନ ମୂଲ୍ୟବାନ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡ଼ିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । ଏସବୁ ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ହେଲଥ୍ କାର୍ଡ ସଞ୍ଜିବନୀ ସଦୃଶ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଝାରସୁଗୁଡାରେ ବିଏସକେୱାଇ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଝାରସୁଗୁଡ଼ା ଜିଲ୍ଲା ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସୀ। ଜିଲ୍ଲାର ଏକ ଲକ୍ଷ ୧୫ ହଜାର ଲୋକ ଏହି ସୁବିଧା ପାଇବେ। ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ ଝାରସୁଗୁଡାରେ ମଧ୍ୟ ଆରମ୍ଭ ହୋଇଛି। ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ସ୍ମାର୍ଟ କାର୍ଡ ବାଣ୍ଟନ ସହ ଝାରସୁଗୁଡ଼ାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି, ଝାରସୁଗୁଡ଼ା କଥା ମନକୁ ଆସିଲେ ବୀର ସୁରେନ୍ଦ୍ର ସାଏଙ୍କ କଥା ମନକୁ ଆସେ। ତାଙ୍କର ସାହସ ସଂଗ୍ରାମ ଓ ଦେଶପ୍ରେମର କାହାଣୀ ଆମକୁ ସବୁବେଳେ ପ୍ରେରଣା ଦେଉଥିବ। ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶର ଧାରାରେ ଝାରସୁଗୁଡ଼ା ଆଗକୁ ବଢ଼ିଚାଲିଛି। ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ଆଣିଛି ଝାରସୁଗୁଡ଼ା।

ଆଜି ଝାରସୁଗୁଡ଼ାରେ ୧୪୬ କୋଟିର ପ୍ରକଳ୍ପ ଉଦଘାଟନ ହେବା ସହ ୧୫୩ କୋଟିର ପ୍ରକଳ୍ପକୁ ଶିଳାନ୍ୟାସ କରାଯାଇଛି। ସେପଟେ ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ୨ଟି ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଏହା ସହିତ ସବୁ ଗାଁକୁ ବିଶୁଦ୍ଧ ପାଣି ଯୋଗାଣ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ରସୁଗୁଡ଼ାର ସବୁ ଜିଲ୍ଲା ଓ ସହର ପାଇଁ ୬୧୮ କୋଟି ଟଙ୍କାର ଡ୍ରିଙ୍କିଙ୍ଗ ଓ୍ୱାଟର ପ୍ରକଳ୍ପରେ କାମ ଆରମ୍ଭ ହୋଇଛି। ଜୁନ ୨୦୨୨ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ଗାଁ ଠାରୁ ସହର ସବୁ ସ୍ଥାନକୁ ପାଣି ଯୋଗାଇ ଦିଆଯିବ। ଏକଲକ୍ଷ ୨୨ହଜାର ଲୋକଙ୍କ ଘରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଝାରସୁଗୁଡା ଜିଲ୍ଲାରେ କୃଷିର ବିକାଶ ପାଇଁ ୧୮୬ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ କାମ ଚାଲିଛି। ସେପଟେ ପାର୍ବତି ଇରିଗେସନ ଯୋଜନାରେ ଏକ ହଜାର ହେକ୍ଟ ଜମିକୁ ଜଳ ସେଚନ ସୁବିଧା କରାଯାଇଛି।

Also Read  CBI raids 12 places over GDS recruitment fraud

ଝାରସୁଗୁଡ଼ା ଜିଲ୍ଲାରେ ୧୦୦ ବେଡ଼ ବିଶିଷ୍ଟ କାର୍ଡିଓ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ ଚାଲଥିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଏହାଦ୍ୱାରା ଜିଲ୍ଲାର ଲୋକମାନେ ଜିଲ୍ଲା ଭିତରେ ଉନ୍ନତ ମାନର ଚିକିତ୍ସା ପାଇପାରିବେ। ସେହିଭଳି ହିରାକୁଦ ପାଇଁ ବିସ୍ଥାପିତ ହୋଇଥିବା ପରିବାରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପଟୁ ବଡ଼ ଆଶ୍ୱାସନା ମିଳିଛି । ହିରାକୁଦ ପାଇଁ ବିସ୍ଥାପିତ ହୋଇଥିବା ୨ହଜାର ପରିବାରରକୁ ରାଜ୍ୟ ସରକାର ଘରଡିହ ଜମି ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।