୭୦ ବର୍ଷ ପରେ ୨୦୦୦ ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

0
391
ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ
ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ

ଝାରସୁଗୁଡା: ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଘରଡିହ । ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା ୨ ହଜାର ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ବାରା ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ । ଝାରସୁଗୁଡାରେ ଆଜି ସ୍ମାର୍ଟ୍ କାର୍ଡ ସେବା ବଣ୍ଟନ କାର୍ଯ୍ୟକ୍ରମରେ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ଦ୍ୱାର ଝାରସୁଗୁଡା ଜିଲ୍ଲାର ଯେଉଁ ୨ ହଜାର ପରିବାର ବିସ୍ଥାପିତ ହୋଇଥିଲେ ସେମାନଙ୍କୁ ଘରଡିହ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ଦୀର୍ଘଦିନ ଧରି ହୋଇଆସୁଥିବା ଦାବି ପୁରଣ ହୋଇଛି ।

୭୦ ବର୍ଷ ତଳେ ତିଆରି ହୋଇଥିଲା ହିରାକୁଦ ମାଟିବନ୍ଧ। ଏହି ବନ୍ଧ ପାଇଁ ଉପକୂଳ ଓଡ଼ିଶା ବନ୍ୟା ଦାଉରୁ ସୁରକ୍ଷିତ ହୋଇଥିଲା। କୃଷିକ୍ଷେତକୁ ଜଳସେଚନ ହୋଇପାରିଛି। କିନ୍ତୁ ୭୦ ବର୍ଷ ତଳେ ଏହି ବନ୍ଧ ତିଆରି ପାଇଁ ଅନେକ ଗାଁକୁ ଜଳସମାଧି ନେବାକୁ ପଡିଥିଲା। ସେହି ସବୁ ଗାଁର ବାସିନ୍ଦା ବିସ୍ଥାପିତ ହୋଇଥିଲେ । ନିଜ ଗାଁ ଓ ଚାଷ ଜମୀ ହରାଇଥିବା ସେହିଭଳି ୨ ହଜାର ବିସ୍ଥାପିତ ପରିବାରଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବାବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଏହି ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ।

ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ ଜୁନ୍‌ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ।

ପାର୍ବତୀଗିରି ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଏହାସହିତ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି ଏବଂ ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Also Read  Iranian women charity worker case 2014: Court acquits woman two years later