ରାଜ୍ୟରେ ୧୯ ଯାଏ ଶୀତ ଅନୁଭୂତ ହେବ ନାହିଁ

0
464
ପୁଣି ବଢ଼ିବ ଶୀତ
ପୁଣି ବଢ଼ିବ ଶୀତ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି। ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେ‌ଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏବେ ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ଆଗକୁ ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ। ୧୭ ଓ ୧୮ ତାରିଖରେ ପୁଣି ଏକ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ଅନେକ ସ୍ଥାନରେ ପାଗ ମେଘୁଆ ରହିବ। ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଉତ୍ତର ଆଣ୍ଡାମାନସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବା ସହ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ। ପରେ ଏହା ପଶ୍ଚିମ ଆଡ଼କୁ ଗତି କରିବା ସହ ୧୮ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ଏହା ପ୍ରଭାବରେ ୧୭ ଓ ୧୮ ତାରିଖରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ। ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଣୁ ଏହି ସମୟରେ ଗଭୀର ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ଅନ୍ୟପ‌ଟେ ରାଜ୍ୟରେ ଆଜି ବି ବର୍ଷା ଜାରି ରହିଥିଲା। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନ ସହ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଯାଇଛି। ବଲାଙ୍ଗୀରଠାରେ ଆଜି ସକାଳ‌େ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା। ଜଗତସିଂହପୁର, ଖୋର୍ଧା, ପୁରୀ, କଳାହାଣ୍ଡି ଓ ମାଲକାନଗିରି ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ଜଣାଯାଇଛି। ଆସନ୍ତକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି।

Also Read  Cow-laden truck seized in Bhubaneswar: Over 100 cows rescued