ଭୁବନେଶ୍ୱର: ବଦଳିବେ ବିରୋଧୀ ଦଳ ନେତା! ବିଧାନସଭାର ଗତ ବଜେଟ ଅଧିବେଶନ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ଆକ୍ରାନ୍ତ ହୋଇଥିଲେ । କରୋନା ପରବର୍ତ୍ତୀ ଅସୁସ୍ଥତା ପାଇଁ ସେ ଏବେ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଦୀର୍ଘଦିନର ଅସୁସ୍ଥତା ଏବଂ ଆଗକୁ ପଞ୍ଚାୟତ ଭୋଟ ଥିବାରୁ ବିଜେପି ନୂଆ ବିରୋଧୀ ଦଳ ନେତା ଚୟନ କରିବାକୁ ସ୍ଥିର କରିଛି । କିଏ ହେବ ବିଧାୟକ ଦଳର ନେତା ? ବିରୋଧୀ ଦଳ ନେତା ପଦରେ କିଏ ବସିବ ? ଏହାକୁ ନେଇ ଏବେ ଦଳରେ ଆରମ୍ଭ ହୋଇଛି ଛକି-ଶୂନ ଖେଳ । ଚାଲିଛି ବଳ କଷାକଷି ।
ପ୍ରଦୀପ୍ତଙ୍କ ପରେ ଏ ପଦ ମାଡ଼ି ବସିବାକୁ ଜୟ ବନାମ ମୋହନ ଲଢ଼େଇ ଜୋର ଧରିଛି । ବିଜେପିରେ ଏବେ ଗୋଷ୍ଠୀ କନ୍ଦଳ ଜୋର ଧରିଥିଲା ବେଳେ ବିରୋଧୀ ଦଳ ନେତା ପଦକୁ ନେଇ ଟଣାଓଟରା ଦଳର ଫାଟକୁ ଜଳଜଳ କରିଛି । ବିରୋଧୀ ଦଳ ନେତା ଦୌଡ଼ରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ ମୋହନ ଚରଣ ମାଝୀ ଥିବା ଚର୍ଚ୍ଚା ଜୋର ଧରିଛି । ବିଜେପିର ଏ ଦୁଇ ନେତା ବିରୋଧୀ ଦଳ ନେତା ପଦ ଅକ୍ତିଆର କରିବାକୁ ନିଜର ଲବିକୁ ଜୋରଦାର କରିଛନ୍ତି । ଏ ଦୁଇ ନେତାଙ୍କ ପାଇଁ ହାଇକମାଣ୍ଡଙ୍କ ନିକଟରେ ଗୁହାରୀ କରିବାକୁ ବିଜେପିର କିଛି ବିଧାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏପଟେ ରାଜ୍ୟ ବିଧାନସଭା ଅଧିବେଶନ ଚାଲିଥିଲା ବେଳେ ତାକୁ ଅଣଦେଖା କରି ବିଜେପି ବିଧାୟକ ନେତା ପଦ ପାଇଁ ଶିଂଘ ଲଢ଼େଇରେ ମାତିଛନ୍ତି । ବିଜେପି ପାଇଁ କ୍ଷମତା ଆଗ, ରାଜ୍ୟ ସ୍ୱାର୍ଥ ପଛ ବୋଳି ରାଜନୈତିକ ମହଲ ମତ ଦେଉଛି ।