ପଞ୍ଜାବ ଘଟଣାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

0
356
ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଘଟଣାକୁ ନେଇ ଉଭୟ ରାଜନୀତିକ ଓ ଆଇନଗତ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ଆଜି ହଠାତ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସେ ପଞ୍ଜାବର ଫିରୋଜପୁର ଯିବା ବାଟରେ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ଢିଲାପଣ ଯୋଗୁ ଭୋଗିଥିବା ସମସ୍ୟା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ବିସ୍ତୃତ ତଥ୍ୟ ଦେଇଛନ୍ତି। ରାଷ୍ଟ୍ରପତି ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ବେଶ ଚିନ୍ତା ପ୍ରକଟ କରିଥିଲେ। ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଥିବାରୁ ମୋଦି ଆଜି ରାଷ୍ଟ୍ରପତି ଭବନ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ। ପ୍ରଥମେ ସେ ହେଲିକପ୍ଟରରେ ଯିବାର ଥିଲା। କିନ୍ତୁ ଖରାପ ପାଣିପାଗ ଯୋଗୁ ୧୦୦ କିମି ବାଟ ସେ କାରରେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍‌ରେ ଅଟକି ଯାଇଥିଲା। ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ଅଟକି ରହିଥିଲା। ଶେଷରେ ମୋଦିଙ୍କ ଫ୍ଲାଏଓଭର୍‌ରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲେ।

ଏହି ସୁରକ୍ଷା ତ୍ରୁଟି ପାଇଁ ପଞ୍ଜାବ ଡିଜିପି ଓ ମୁଖ୍ୟ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି। ଆସନ୍ତାକାଲି ଏହାର ଶୁଣାଣି ହୋଇପାରେ। ସେହିପରି ପଞ୍ଜାବ ସରକାର ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ଗିଲ ଓ ଗୃହ ଏବଂ ନ୍ୟାୟ ବିଭାଗର ପ୍ରିନ୍ସିପାଲ ସଚିବ ଅନୁରାଗ ବର୍ମାଙ୍କୁ ନେଇ ଗୋଟିଏ ତଦନ୍ତ କମିଟି ଗଠନ କରିଛନ୍ତି। ଏହି କମିଟି ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବ।

Also Read  State Govt seeks more time from Orissa High Court on pre-RERA apartment registration