ପଞ୍ଚମ ଥର ପାଇଁ ବିଶ୍ୱକପ୍ ହାତେଇଲା ଭାରତ

0
498
ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମ୍
ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମ୍

ନର୍ଥ ସାଉଣ୍ଡ: କମାଲ କଲା ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମ୍ । ପଞ୍ଚମଥର ପାଇଁ ବିଶ୍ୱକପ୍ ଟ୍ରଫି  ହାତେଇଲା ଭାରତ । ଫାଇନାଲ ଫାଇଟରେ ଦମଦାର ବିଜୟ ସହିତ ବିଶ୍ୱକପ୍ ହାସଲ କରିଛି ଟିମ୍ ଇଣ୍ଡିଆ । ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ୪ ଓ୍ୱିକେଟରେ ଇଂଲଣ୍ଡକୁ ହରାଇଛି ବୟସ୍ ଇନ୍ ବ୍ଲୁ ।

ଶନିବାରର ଖେଳାଯାଇଥିବା ଏହି ଫାଇନାଲ୍‌ରେ ରବି କୁମାର ଏବଂ ରାଜ୍ ବାୱାଙ୍କ ଘାତକ ବୋଲିଂ ବଳରେ ଦ୍ୱିତୀୟ ଥର ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ଥିବା ଇଂଲଣ୍ଡକୁ ଭାରତ ୪୪.୫ ଓଭରରେ ମାତ୍ର ୧୮୯ ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ୧୯୦ ରନ୍‌ର ଛୋଟିଆ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦ୍ୱିତୀୟ ବଲ୍‌ରେ ହିଁ ଓପନର ଅଙ୍ଗକ୍ରିଶ୍ ରଘୁବଂଶୀଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ସେପଟେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ମ୍ୟାଚ୍‌ର ଗତିପଥ ବଦଳାଇବାକୁ ଆପ୍ରାଣ ଉଦ୍ୟମ କରିଥିଲା।

cricket
ତଥାପି ସାହସ ନହରାଇ ସେକ୍ ରସିଦଙ୍କ ଲଢ଼ୁଆ ଏବଂ ନିଶାନ୍ତ ସିନ୍ଧୁଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ୨.୨ ଓଭର ପୂର୍ବରୁ ବିଜୟର ସ୍ୱାଦ ଚାଖିଥିଲା‌ ଭାରତ । ଶେଷ ୩ ଓଭରରୁ ଭାରତକୁ ବିଜୟ ପାଇଁ ୧୨ ରନ୍‌ର ଦରକାର ଥିଲା ବେଳେ ୪୮ତମ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌କୁ ଛକା ମାରି ୱିକେଟ୍ ରକ୍ଷକ ଦିନେଶ ବାନା ଭାରତୀୟ ବିଜୟ ବାନା ଉଡ଼ାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରାଜ୍‌ ବାୱା ( ୫/୩୧, ୩୫ ରନ୍) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସର୍ବାଧିକ ରନ୍ କରିଥିବା ଦକ୍ଷିଣ ଆଫ୍ରିକାର ଦିୱାଲ୍ଡ ବ୍ରେଭିସ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୁଣି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଆଣିବା ପରେ ସମଗ୍ର ଦେଶରେ ଖୁସିର ଲହରି ଖେଳି ଯାଇଛି । ଚାରିଆଡ଼ୁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଛୁଟିଛି । ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଏବଂ ୨୦୧୮ରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତି ଗୌରବ ଲାଭ କରିଥିଲା ।

Also Read  ବରିଷ୍ଠ ଅଭିନେତା ମିହିର ଦାସ ଗୁରୁତର