ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଉପରେ ଜବାବ ରଖିଲେ ପ୍ରିୟଙ୍କା ଓ କେଜ୍ରିୱାଲ

0
494

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। କରୋନାର ଦ୍ୱିତୀୟ ୱେଭ ବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ ରାଲି କେମିତି କରୁଥିଲେ ବୋଲି କହି ପ୍ରିୟଙ୍କା ନିଜର ଜବାବ ରଖିଛନ୍ତି।  ପ୍ରିୟଙ୍କା କହିଛନ୍ତି, ମୋଦିଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ଲୋକମାନଙ୍କୁ ସହଯୋଗ କରାଯାଇଥିଲା। ସେମାନଙ୍କ ପାଖରେ ଘରକୁ ଫେରିବାକୁ କୌଣସି ଉପାୟ ନଥିଲା। ସେମାନେ ଚାଲିଚାଲି ନିଜ ଘରକୁ ଫେରୁଥିଲେ। କ’ଣ ସେମାନଙ୍କୁ କେହି ସାହାଯ୍ୟ ନ କରନ୍ତୁ ବୋଲି ସେ(ମୋଦି) ଚାହୁଁଥିଲେ? ମୋଦିଜୀ କ’ଣ ଚାହାନ୍ତି? କରୋନାର ଦ୍ୱିତୀୟ ୱେଭ ବେଳେ ମୋଦି ବଡ଼ ବଡ଼ ରାଲି କରି କ’ଣ କରୁଥିଲେ?

ସୋମବାର ରାଷ୍ଟ୍ରପତିଙ୍କ ଉଦବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମୋଦି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ, ମହାମାରୀ କରୋନାର ପ୍ରଥମ ୱେଭ ବେଳେ ତୁମେ(କଂଗ୍ରେସ) ପ୍ରବାସୀ ଶ୍ରମିକମାନଙ୍କୁ ମୁମ୍ବାଇ ଛାଡ଼ିବାକୁ ଟିକେଟ ଦେଇଥିଲ। ଏହି ସମୟରେ ଦିଲ୍ଲୀ ସରକାର ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ସହର ଛାଡ଼ିବାକୁ କହିଥିଲେ। ଏପରି କି ସେମାନଙ୍କୁ ବସ୍ ଯୋଗାଇ ଦେଇଥିଲେ। ଫଳରେ ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିଲା।

ମୋଦିଙ୍କ ଏପରି ବୟାନକୁ କେଜ୍ରିୱାଲ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଏପରି ଅଭିଯୋଗ ସଂପୂର୍ଣ୍ଣ ମିଛ। ଯେଉଁ ଲୋକମାନେ କରୋନା ସମୟରେ କଷ୍ଟ ସହିଛନ୍ତି, ଯେଉଁମାନେ ନିଜ ଲୋକଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମ୍ବେଦନଶୀଳ ହେବେ ବୋଲି ଦେଶ ଆଶା କରିଛି। ଲୋକଙ୍କ କଷ୍ଟକୁ ନେଇ ରାଜନୀତି କରିବା ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ।

Also Read  Triple Murder in Jharsuguda: One more body recovered