ଡାକ୍ତର ୧୪ ମହିଳାଙ୍କୁ ବାହା ହୋଇଥିଲେ, କେମିତି ଧରିଲା ପୁଲିସ ? ପଢ଼ନ୍ତୁ

0
1019
ଭୁବନେଶ୍ୱର : ଡାକ୍ତର ପରିଚୟ ଦେଇ ମହିଳାଙ୍କୁ ବିବାହ କରିଥିବା ରମେଶ ଚନ୍ଦ୍ର ସ୍ବାଇଁ ଓରଫ ଡକ୍ଟର ବିଭୁ ପ୍ରକାଶ ସ୍ବାଇଁ ଜଣେ ଠକକୁ ମହିଳା ଥାନା ପୁଲିସ ଗିରଫ କରିଛି। ବୟସ ୬୦ ପାର୍‌ କରି ସାରିଥିବା ବେଳେ ଏ ଯାବତ ନକଲି ଡାକ୍ତରଙ୍କ ପତ୍ନୀଙ୍କ ସଂଖ୍ୟା ୧୪ ଛୁଇଁଥିବା ଜଣାଯାଇଛି। ଏପରି ଜଣେ ପୋଖତ ଓ ପେସାଦାର ଠକ ବିଭୁଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍‌।
ଡିସିପି ଉମାଶଙ୍କର ଦାଶ ସୂଚନା ଦେଇ କହିଛନ୍ତି, କମିଶନରେଟ୍ ପୁଲିସ ଦିଲ୍ଲୀର ଜଣେ ସ୍କୁଲ ଶିକ୍ଷୟତ୍ରୀ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ନିମ୍ନ ଅଭିଯୁକ୍ତ ତାଙ୍କୁ ଗତ ୨୦୧୮ ମସିହାରେ ନୂଆଦିଲ୍ଲୀର ଆର୍ଯ୍ୟ ସମାଜ ମଣ୍ଡଳ, ଜନକପୁରୀରେ ବିବାହ କରିଥିଲେ ଏବଂ ବିବାହ ପରେ ତାଙ୍କୁ କିଛିଦିନ ପାଇଁ ଭୁବନେଶ୍ୱର ଆଣି ରଖିଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ସେହି ବ୍ୟକ୍ତି ଜଣକ ତାଙ୍କୁ ନିଜର ମିଥ୍ୟା ପରିଚୟ ଦେଇଛନ୍ତି ଏବଂ ଏହା ପୂର୍ବରୁ ଅନେକ ମହିଳାଙ୍କୁ ମଧ୍ୟ ସେ ବିବାହ କରିଛନ୍ତି। ତେଣୁ ସେ ମହିଳା ଥାନାରେ ଏତଲା ଦାଏର କରିଥିଲେ।

ଏହି ମହାଠକଜଣକ ନିଜକୁ ଡାକ୍ତର ବୋଲି କହି ୧୪ ଜଣଙ୍କୁ ବାହାହୋଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ପରିଚୟ ମିଳିଥିବା ବେଳେ ସେମାନେ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି।  ଏହି ମହିଳାମାନେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ଉଚ୍ଚପଦରେ ଥିଲେ।  ବିଭୁ ପ୍ରକାଶ ସ୍ୱାଇଁ ମୁଖ୍ୟତଃ ମାଟ୍ରିମୋନିଆଲ ସାଇଟ୍‌ରେ ମଧ୍ୟବୟସ୍କା ଓ  ଏକୁଟିଆ ରହୁଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ। ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ତ କେତେବେଳେ ଡାକ୍ତର କହି ଫସାଉଥିଲେ ।  ଏପରିକି ନାଁ ବଦଳାଇ ପକାଉଥିଲେ ହାତ ଗଣ୍ଠି

ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ା କଲେଜରୁ ତାଙ୍କର ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ସମାପ୍ତ କରିବା ପରେ ସେ କୋଚିନ ଇନଷ୍ଟିଚ୍ୟୁଟରେ ପାରା ମେଡିକାଲ୍ ଏବଂ ଲାବୋରେଟୋରୀ ଟେକ୍ନୋଲୋଜି ଏବଂ ଫାର୍ମାସି ବିଭାଗରେ ଶିକ୍ଷାଲାଭ କରିଥିଲେ। ସେ ଅଲଟରନେଟିଭ୍ ସିଷ୍ଟମ ଅଫ୍ ମେଡିସିନ୍, କୋଲକାତାରୁ ସ୍ନାତକୋତ୍ତର ଡିଗ୍ରି ଓ ଏମଡି ଶିକ୍ଷାଲାଭ କରିଛନ୍ତି ବୋଲି ପୁଲିସ ଜେରା ବେଳେ ସ୍ଵୀକାର କରିଛନ୍ତି, ଯାହାକୁ ଭବିଷ୍ୟତରେ ଯାଞ୍ଚ କରାଯିବ। ସେ ୧୯୮୨ ମସିହାରୁ ୨୦୦୨ ମସିହା ମଧ୍ୟରେ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିଲେ। ତାପରେ ୨୦୦୨ ମସିହାରୁ ୨୦୨୦ ମସିହା ମଧ୍ୟରେ ସେ ଆହୁରି ୧୨ ଜଣ ମହିଳାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କଠାରୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀ ଏବଂ ଟଙ୍କା ଠକି ନେଇଯାଇଥିଲେ। ସେ ପଞ୍ଜାବର ସିଏପିଏଫର ଜନୈକା ଅଧିକାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କଠାରୁ ୧୦ଲକ୍ଷ ଟଙ୍କା ନେଇଥିଲେ ଏବଂ ଏକ ଗୁରୁଦ୍ୱାର ନାମରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିବା ନିମନ୍ତେ ଗୁରୁଦ୍ୱାରରୁ ୧୧ ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ।  ଆଡମିସନ ଏବଂ ଚାକିରି କରାଇବା ନାମରେ ସେମାନଙ୍କଠାରୁ ୨ କୋଟି ଟଙ୍କା ହଡ଼ପ କରିବା ଅପରାଧରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଦ୍ଵାରା ଗିରଫ ହୋଇଥିଲେ। ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ପୁଲିସ ରିମାଣ୍ଡରେ ଅଣାଯିବାପାଇଁ ପଦକ୍ଷେପ ନିଆଯାଉଛି।

Also Read  Subhadra Scheme Fourth Installment Money to be Given After January 15