ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜିସୁନୀଲ ବଂଶଲ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିବା ଜଣାଯାଇଛି।
ଶନିବାର ଅପରାହ୍ଣ ୩ଟା ୨୫ରେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ଅବତରଣ ପରେ ଭିଆଇପି ରୋଡ୍ସ୍ଥିତ ରାଜଭବନ ଅଭିମୁଖେ ଯାତ୍ରା କରିବେ। ପ୍ରାୟ ଏକ ଘଣ୍ଟାର ବିଶ୍ରାମ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଡ଼ା ସୁରକ୍ଷାବଳୟ ଭିତରେ କାର୍ରେ ସପରିବାର ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସଂଧ୍ୟା ୫ଟାରେ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ପରେ ମା’ ବିମଳା, ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିବେ। ପ୍ରାୟ ୪୫ ମିନିଟ୍ ଶ୍ରୀମନ୍ଦିର ଭିତରେ ରହିବା ପରେ ସଂଧ୍ୟା ୫ଟା ୪୫ରେ ସିଂହଦ୍ବାର ଦେଇ ବାହାରି ରାଜଭବନ ଯିବେ। ରାତ୍ରିକାଳୀନ ବିଶ୍ରାମ କରିବେ।
ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜଭବନରୁ ବାହାରି ପୁରୀ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ୧୦ ମିନିଟ୍ର ମଠ ପରିଦର୍ଶନ ପରେ ପୂର୍ବାହ୍ନ ୧୦ଟା ୪୫ରେ ଚୈତନ୍ୟ ଗୌଡ଼ୀୟ ମଠ ପକ୍ଷରୁ ଆୟୋଜିତ ଶରଧାବାଲିସ୍ଥିତ ସଭାସ୍ଥଳରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିସନ୍ର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଉତ୍ସବର ଶୁଭାରମ୍ଭ କରିବେ। ପ୍ରାୟ ଏକ ଘଣ୍ଟା ସଭାରେ ରହିବା ସହ ଅଭିଭାଷଣ ଦେବା ପରେ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ପୁରୀ ତାଳବଣିଆସ୍ଥିତ ହେଲିପ୍ୟାଡ୍ ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୧୫ରେ ହେଲିକପ୍ଟରରେ ବସି ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ମଧ୍ୟାହ୍ନ ୧୨ଟା ୫୫ରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

























