ପୁଣି ଚର୍ଚ୍ଚାରେ ରାଜ୍ୟର ସବୁଠୁ ଧନୀ ଏମାର ମଠ: ଗୁପ୍ତ ଧନର ସନ୍ଧାନରେ ଆଜି ଖୋଳାଯିବ

0
653

ପୁରୀ: ପୁଣି ଚର୍ଚ୍ଚାରେ ରାଜ୍ୟର ସବୁଠୁ ଧନୀ ‘ଏମାର ମଠ’। ଆଜି ପୁଣି ବହୁଚର୍ଚ୍ଚିତ ଏମାର ମଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଉପସ୍ଥିତିରେ ଖୋଳାଯିବା ନେଇ ସୂଚନା ରହିଛି। ମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯିବା ପରେ ଖୋଳାଯିବ ବୋଲି କୁହାଯାଉଛି। ମାଜିଷ୍ଟ୍ରେଟ୍, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଟ୍ରଷ୍ଟବୋର୍ଡ ସଦସ୍ୟ ଏବଂ ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯିବା ନେଇ ସୂଚନା ରହିଛି। ମଠ ପରିସରରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠ ପରିସର ଟିକିନିଖି ଯାଞ୍ଚ ପରେ ପୂର୍ବ ଚିହ୍ନିତ ୩ଟି ସ୍ଥାନକୁ ଆଜି ଖୋଳାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ୪୫ଟି ରୁପା ଇଟା ଏବଂ ତା’ଆଗରୁ ଅତୀତରେ ୫୨୨ ଖଣ୍ଡ ରୁପା ଇଟାକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ମଠ ଏବେ ପୁଣିଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି। ଏମାର ମଠ ପରିଚାଳନା ପାଇଁ ନବଗଠିତ ଟ୍ରଷ୍ଟ ବୋର୍ଡ ମଠର କାନ୍ଥ, ଚଟାଣ ଆଦିରେ ରୁପା, ହୀରା, ନୀଳା, ମାଣିକ ଭଳି ଅନେକ ମୂଲ୍ୟବାନ ଜିନିଷ ରହିଥିବା ସନ୍ଦେହ ପ୍ରକଟ କରିବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ, ଦେବୋତ୍ତର ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଜି ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠ ପରିସର ଟିକିନିଖି ଯାଞ୍ଚ କରାଯାଇଛି।

ଏମାର ମଠର ପରିଚାଳନା ଦାୟିତ୍ବ ମଠ ମହନ୍ତଙ୍କ ହାତରୁ କାଢ଼ି ନିଆଯାଇ ଦେବୋତ୍ତର ବିଭାଗ ପକ୍ଷରୁ ନବଗଠିତ ଟ୍ରଷ୍ଟ ବୋର୍ଡ ହାତରେ ସମର୍ପି ଦିଆଯାଇଥିଲା। ଟ୍ରଷ୍ଟବୋର୍ଡ ମଠ ପରିସରରେ ମାଟି ତଳେ ଆହୁରି ଅନେକ ଗୁପ୍ତଧନ ପୋତା ହୋଇ ରହିଥିବା ସନ୍ଦେହ ପ୍ରକଟ କରି ଦେବୋତ୍ତର ବିଭାଗକୁ ଚିଠି ଲେଖିଥିଲା। ଦେବୋତ୍ତର ବିଭାଗ ଜିଲ୍ଲା ପ୍ରଶାସନକୁ ମେଟାଲ୍ ଡିଟେକ୍ଟର ଜରିଆରେ ମଠ ପରିସର ଯାଞ୍ଚ କରିବାକୁ ଚିଠି ଲେଖିଥିଲା। ଜିଲ୍ଲା ପ୍ରଶାସନ ମେଟାଲ୍ ଡିଟେକ୍ଟର ପାଇଁ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି କରିଥିଲା।

Also Read  Naveen nods for Ministry re-shuffle: Decision soon to come