ରାଜ୍ୟସଭାରେ ତୁରନ୍ତ ବଳକା ଉଷୁନା ଚାଉଳ ଉଠାଇବାକୁ ଦାବି କଲେ ବିଜେଡିର ସାଂସଦ

0
678

ଭୁବନେଶ୍ବର: ସଂସଦରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ। ରାଜ୍ୟର ବଳକା ଉଷୁନା ଚାଉଳ ଏଫସିଆଇ ଉଠାଉ ନଥିବାରୁ ବିଜେଡି ସାଂସଦମାନେ ଏହି ପ୍ରସଙ୍ଗ ଉଠାଇଥିବା ଜଣାପଡ଼ିଛି। ଉଦ୍ଦେଶ୍ୟମୂଳକ ଭାବେ ବଳକା ଉଷୁନା ଚାଉଳ ଉଠାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଶାନ୍ତ ନନ୍ଦ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍ଥାପନ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସାଂସଦ।

ଏହି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ, ଏଫସିଆଇ ଉଦ୍ଦେଶ୍ୟମୂଳକ ଭାବେ ବଳକା ଉଷୁନା ଚାଉଳ ଉଠାଉନାହିଁ। ଏଥିଯୋଗୁଁ ରାଜ୍ୟର ବହୁଚାଷୀ ପ୍ରଭାବିତ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ବଳକା ଉଷୁନା ଚାଉଳ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ।

ଏହା ପୂର୍ବରୁ ଗତବର୍ଷ ମଧ୍ୟ ଏହି ଦାବି ନେଇ ବିଜେଡି ସାଂସଦମାନଙ୍କ ଏକ ପ୍ରତିନିଧିମଣ୍ଡଳ କେନ୍ଦ୍ର ଖାଦ୍ୟ ଓ ଖାଉଟି ବିତରଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ, ଓଡ଼ିଶାରେ ଚଳିତ ଖରିଫ୍‌ ମାର୍କେଟିଂ କାଳ‌ରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିରୁ ୨୪ ଲକ୍ଷ ମେଟ୍ରିକ ଟନ୍‌ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆବଶ୍ୟକ। ଏହା ବାଦ୍‌ ୨୮ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ବଳକା ରହିବ। ଏଥିରୁ ମାତ୍ର ୪ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ରହିଛି। ଅବଶିଷ୍ଟ ୨୪ ଲକ୍ଷ ଟନ ବଳକା ଚାଉଳକୁ ଏଫ୍‌ସିଆଇ ସଂଗ୍ରହ କରିବା ଆବଶ୍ୟକ। ହେଲେ କେନ୍ଦ୍ର ଖାଦ୍ୟ ଓ ଖାଉଟି ବିତରଣ ବିଭାଗ (ଡିଏଫ୍‌ପିଡି) ଦ୍ବାରା ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରାନ‌ଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କେନ୍ଦ୍ର ସରକାରଙ୍କର ଏହି ନିର୍ଦ୍ଦେଶନାମା ଓଡ଼ିଶା ପାଇଁ ଭୀଷଣ ସମସ୍ୟା ସୃଷ୍ଟି କରିବ। କେନ୍ଦ୍ର ସରକାର ଯଦି ଏହି ଉଷୁନା ଚାଉଳ ସଂଗ୍ରହ କରିବେ ନାହିଁ, ରାଜ୍ୟର ପ୍ରାୟ ୧୦ ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେ‌ବେ। କରୋନା ମହାମାରୀ ସ୍ଥିତିରେ ଏହି ଚାଷୀ ପରିବାରମାନଙ୍କ ଭାଗ୍ୟ ଦୁର୍ଦ୍ଦିନକୁ ଠେଲି ହୋଇଯିବ। ‌ତେଣୁ ଡିଏଫ୍‌ପିଡି ନିର୍ଦ୍ଦେଶନାମାକୁ ତୁରନ୍ତ ପରିବର୍ତ୍ତନ କରାଯାଉ।

Also Read  Odisha records 602 new Covid +Ve cases; 467 new recoveries reported