ନୂଆ ଗାଇଡଲାଇନରେ କ’ଣ ରହିଲା ନୟମ ଏବଂ ଏଥର ହୋଲି ଖେଳ ହେବକି ନାହିଁ ? ପଢ଼ନ୍ତୁ ….

0
510

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ କୋଭିଡ ନିୟମକୁ ପୁରାପୁରି କୋହଳ କରିଛନ୍ତି ରାଜ୍ୟ ସରକାର । ତେବେ କରୋନା ସଂକ୍ରମଣ ବୃଦ୍ଧିକୁ ଆଶଙ୍କା କରି ଏଥର ସର୍ବସାଧାରଣରେ ହୋଲି ପାଳନ ଉପରେ ରୋକ ଲଗାଯାଇଛି । ବିବାହରେ ୫୦୦ ଲୋକଙ୍କୁ ଅନୁମତି ମିଳିଥିବା ବେଳେ ଅନ୍ତେଷ୍ଟିକ୍ରିୟାରେ ୨୫୦ ଲୋକ ସମାଗମ ହୋଇପାରିବେ ବୋଲି ଏସଆରସି ବିଜ୍ଞପ୍ତି ଜାରି କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ଆଜି ଏନେଇ ମାର୍ଚ୍ଚ ୧ରୁ ୩୧ତାରିଖ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ଚଳିତବର୍ଷ ହୋଲି ଓ ଏ ସଂକ୍ରାନ୍ତ ରୀତିନୀତି ରାଜ୍ୟବ୍ୟାପୀ ସର୍ବସାଧାରଣ ସ୍ଥାନରେ ପାଳନ ହେବ ନାହିଁ। ଲୋକେ ନିଜ ପରିବାର ସଦସ୍ୟଙ୍କ ସହ ଘର ଭିତରେ ହୋଲି ପାଳନ କରିବେ । କିନ୍ତୁ ତାହା ସାର୍ବଜନୀନ ରାସ୍ତା କିମ୍ବା ସ୍ଥାନରେ ନୁହେଁ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି । ତେବେ ସ୍ଥାନୀୟ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନେ ଆବଶ୍ୟକତାକୁ ଦେଖି ଅତିରିକ୍ତ କଟକଣା ଜାରି କରିପାରିବେ ।

ତେବେ ମହାଶିବରାତ୍ରି ପାଳନ ନିମନ୍ତେ ପୂର୍ବରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ପାଳିତ ହେବ । ଦୋଳ ପୂର୍ଣ୍ଣିମା ସମୟରେ ଲୋକେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ଓ ସାନିଟାଇଜର ଉପଯୋଗ କରି ଆବଶ୍ୟକ କୋଭିଡ୍ ଗାଇଡଲାଇନ ମଧ୍ୟରେ ଏହା ପାଳନ କରିବେ। ମହାଶିବରାତ୍ରି ଓ ଦୋଳ ମେଳଣ ନିମନ୍ତେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ମଧ୍ୟ ମନ୍ଦିର ଭିତରେ ଓ ବାହାରେ ଲୋକଙ୍କ ଏକଜୁଟ ହେବାକୁ ନେଇ ଆବଶ୍ୟକ କଟକଣା ଜାରି କରିପାରିବେ ।

ଏହାସହିତ ଅନଲକିଂ ପ୍ରକ୍ରିୟା ଆରମ୍ଭ ସହ ରାତ୍ରିକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରେ ରହିବ ନାହିଁ। ଅନଲକିଂ ସମୟରେ ସମସ୍ତ ପ୍ରକାରର ଗତିବିଧି କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ହେବ ବୋଲି ଏସଆରସି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ସମସ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା ଓ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଲୋକ ଏକଜୁଟ ଦେଇଛନ୍ତି। କିନ୍ତୁ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ।

ସେହିପରି ପ୍ରଦର୍ଶନୀ, ମେଳା, ଏକ୍ସପୋ ଟ୍ରେଡ୍ ଫେୟାର ଆଦି ମଧ୍ୟ ସମ୍ପୂର୍ଣ୍ଣ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ସମ୍ଭବପର ହେବ। ବିବାହ, ବ୍ରତୋପନୟନ ଆଦିରେ ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ସର୍ବାଧିକ ୫୦୦ଲୋକଙ୍କ ସମାଗମ ଏବଂ ଶୁଦ୍ଧିକ୍ରିୟା ଓ ଅନ୍ତେଷ୍ଟିରେ ସର୍ବାଧିକ ୨୫୦ଜଣଙ୍କ ଏକଜୁଟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ। କୌଣସି ପରିସ୍ଥିତିରେ ବି ଏହି ସଂଖ୍ୟା ବୃଦ୍ଧି ପାଇବ ନାହିଁ । ବନ୍ଦ କୋଠରୀ ଅବା ହଲରେ ଏହି ସଂଖ୍ୟା କୋଭିଡ୍ ପ୍ରୋଟୋକଲକୁ ଦେଖି ସ୍ଥିର କରାଯିବ । ସେହିପରି ବିବାହ ଶୋଭାଯାତ୍ରାରେ ସମସ୍ତଙ୍କୁ ମିଶାଇ ସର୍ବାଧିକ ୧୦୦ଜଣ ରହିପାରିବେ । ବିବାହ ପାଇଁ ନିର୍ଦ୍ଧାରିତ ୫୦୦ ଜଣଙ୍କ ମଧ୍ୟରେ ଏହା ଗଣନା କରାଯିବ ନାହିଁ । ଏହି ସମସ୍ତ କାର୍ଯ୍ୟକ୍ରମରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read  After Burma, Panigrahi & Behera asked to resign; Amat to be next OLA's Speaker

ଏହାବ୍ୟତୀତ ସର୍ବସାଧାରଣ ସ୍ଥାନ, ସାର୍ବଜନୀନ ବାହନରେ ଯିବାବେଳେ ଓ କର୍ମସ୍ଥଳୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ୬ଫୁଟର ସାମାଜିକ ଦୂରତ୍ୱ ରଖିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ନିୟମ ଅନୁସାରେ ଜୋରିମାନା ସହ ଦଣ୍ଡିତ ହେବାକୁ ପଡ଼ିବ । ସର୍ବସାଧାରଣରେ ମଦ ପାନ କଲେ ମଧ୍ୟ ଅନୁରୂପ ଦଣ୍ଡ ଭୋଗିବାକୁ ହେବ । ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ତମାଖୁ ଓ ସେସବୁ ଉତ୍ପାଦ ସେବନ ଉପରେ କଟକଣା ଜାରି ହୋଇଛି ।