ପୂର୍ବତନ ମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ହାରିଲେ : କିଏ ଏହି ମନ୍ତ୍ରୀ ଜାଣନ୍ତୁ ?

0
1354

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ ପାଇଁ ଲଢ଼ି ହାରିଛନ୍ତି ।  ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ  । ଗତକାଲି ଭୋଟ୍ ଗଣତି ହୋଇଥିବାବେଳେ ଅଞ୍ଜଳିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦିଙ୍କ ଠାରୁ ୮୨୬ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି ।

ଅଞ୍ଜଳି ପୂର୍ବରୁ ବିଜେଡି ଟିକେଟରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ।  ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ୨୦୦୯ରୁ ୨୦୧୧ ଯାଏ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ୨୦୧୧ରୁ ୨୦୧୨ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିଲେ । ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ  ସେ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ।

ଏହାପରେ ଗତବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଜେଡି ବିରୋଧରେ ବିଷେଦାଗାର କରିଥିଲେ।  ମୋ ବାପା, ମା’ ଓ ମୁଁ ବିଜେଡିରେ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ । ହେଲେ ସେହି ଦଳ ଆମକୁ ଗୋଇଠା ମାରିଛି। ବିଜେଡି ଦଳ ମୋର ବହୁତ କ୍ଷତି କରିଛି ବୋଲି କହିଥିଲେ ଅଞ୍ଜଳି। ଏହାପରେ ସେ ବିଜେପିରେ ଯୋଗ ଦେଇ ଚଳିତ ନିର୍ବାଚନରେ  ଲଢ଼ିଥିଲେ। ହେଲେ ଶେଷରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

Also Read  Entry Free for Nandankanan increased from Rs 25 to Rs 40