ୟୁକ୍ରେନରେ ଫସିଥିବା ଭାରତୀୟ ନାଗିରକଙ୍କୁ ଉଦ୍ଧାର କରିବ ବାୟୁସେନା

0
545

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧଗ୍ରସ୍ତ ସହର ଓ ସୀମାବର୍ତ୍ତୀ ଇଲାକାରେ ଫସିଥିବା ଭାରତୀୟ ନାଗିରକଙ୍କୁ ଉଦ୍ଧାର କରିବ ବାୟୁସେନା। କେନ୍ଦ୍ର ସରକାରଙ୍କ ଅପରେସନ୍‌ ଗଙ୍ଗା ମିଶନ୍‌ରେ ଭାରତୀୟ ବାୟୁସେନା ସାମିଲ ହୋଇଛି। ଆଜି ମଧ୍ୟାହ୍ଣ ସୁଦ୍ଧା ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଅତି କମ୍‌ରେ ୩ଟି ବିମାନ ୟୁକ୍ରେନ୍‌କୁ ଯାତ୍ରା କରିପାରେ। ଏଥିରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଦୁଇଟି ବିମାନ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ଗୋଟିଏ ବିମାନ ସାମିଲ ଅଛି। ଏହି ବିମାନଗୁଡ଼ିକ ମୁମ୍ବାଇ ଏବଂ ଦିଲ୍ଲୀରେ ପହଞ୍ଚିବ।

ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାକୁ ଅପରେସନ୍ ଗଙ୍ଗରେ ସାମିଲ ହୋଇ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କହିଛନ୍ତି। ବାୟୁସେନା ବିମାନ ଏହି ଅପରେସନ୍‌ରେ ସାମିଲ ହେଲେ ସେଠାରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟାରେ ବୃଦ୍ଧି ଘଟିବ। ଏକକାଳୀନ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ। ଭାରତୀୟ ବାୟୁସେନା C-17 ବିମାନ ଜରିଆରେ ଭାରତୀୟ ନାଗରିକଙ୍କୁ ଅଣାଯିବ। ଏଥିପାଇଁ ବାୟୁସେନାର ଅନେକ C-17 ବିମାନ ଆଜି ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନ୍‌ ଆଡକୁ ଉଡାଣ ଭରିପାରେ।

ଭାରତୀୟ ବିମାନ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତକୁ ପାଖାପାଖି ୧,୫୦୦ ଲୋକଙ୍କୁ ଆଣିଛି । ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ନାଗରିକମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ମୁତାବକ, ଆଜି ତୁରନ୍ତ କିଭ୍‌ ଛାଡିବା ପାଇଁ ସେଠାରେ ଥିବା ଭାରତୀୟ ନଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଲର୍ଟ ଜାରି ହୋଇଛି। ଯେତେ ସମ୍ଭବ ଆଜି ହିଁ କିଭ୍‌ ଛାଡି ସେଠାରୁ ପଳାଇ ଯିବା ପାଇଁ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି।

 

Also Read  ରାଜ୍ୟରେ ଜାନୁଆରୀ ୩ରୁ ପିଲାଙ୍କୁ କୋଭିଡ ଟିକା : ୧ରୁ କୋ-ୱିନ ମାଧ୍ୟମରେ ପଞ୍ଜୀକରଣ