ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧଗ୍ରସ୍ତ ସହର ଓ ସୀମାବର୍ତ୍ତୀ ଇଲାକାରେ ଫସିଥିବା ଭାରତୀୟ ନାଗିରକଙ୍କୁ ଉଦ୍ଧାର କରିବ ବାୟୁସେନା। କେନ୍ଦ୍ର ସରକାରଙ୍କ ଅପରେସନ୍ ଗଙ୍ଗା ମିଶନ୍ରେ ଭାରତୀୟ ବାୟୁସେନା ସାମିଲ ହୋଇଛି। ଆଜି ମଧ୍ୟାହ୍ଣ ସୁଦ୍ଧା ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଅତି କମ୍ରେ ୩ଟି ବିମାନ ୟୁକ୍ରେନ୍କୁ ଯାତ୍ରା କରିପାରେ। ଏଥିରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଦୁଇଟି ବିମାନ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ଗୋଟିଏ ବିମାନ ସାମିଲ ଅଛି। ଏହି ବିମାନଗୁଡ଼ିକ ମୁମ୍ବାଇ ଏବଂ ଦିଲ୍ଲୀରେ ପହଞ୍ଚିବ।
ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାକୁ ଅପରେସନ୍ ଗଙ୍ଗରେ ସାମିଲ ହୋଇ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କହିଛନ୍ତି। ବାୟୁସେନା ବିମାନ ଏହି ଅପରେସନ୍ରେ ସାମିଲ ହେଲେ ସେଠାରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟାରେ ବୃଦ୍ଧି ଘଟିବ। ଏକକାଳୀନ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ। ଭାରତୀୟ ବାୟୁସେନା C-17 ବିମାନ ଜରିଆରେ ଭାରତୀୟ ନାଗରିକଙ୍କୁ ଅଣାଯିବ। ଏଥିପାଇଁ ବାୟୁସେନାର ଅନେକ C-17 ବିମାନ ଆଜି ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନ୍ ଆଡକୁ ଉଡାଣ ଭରିପାରେ।

























