ରାଜଧାନୀରୁ ଧରାପଡିଲା ୩୨ କେଜି ସୁନା : ୧୨ କୋଟି ଟଙ୍କାର ସୁନା କେମିତି ଧରିଲା ପୁଲିସ ? ଜାଣନ୍ତୁ

0
645

ଭୁବନେଶ୍ୱର: ରାଜଧାନୀରୁ ଧରା ପଡ଼ିଲା ୩୨ କେଜି ସୁନା । ଏହି ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହୋଇଥିବାବେଳେ ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ଟ୍ରେନ‌ ଯୋଗେ ଭୁବନେଶ୍ବର ଆସିଥିଲା । ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ୍‌ରୁ ଏତେ ପରିମାଣର ସୁନା ଜବତ କଲା  ଜିଆରପି । ଏହି ଘଟଣାରେ ଜିଆରପି ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଏହି ଘଟଣାରେ ୪ ଜଣ ଅଟକ ଥିବାବେଳେ ମିଳିଥିବା ସୂଚନା ମୁତାବକ କୋଣାର୍କ ଏକ୍ସପ୍ରେସ ଜରିଆରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ | ଅଭିଯୁକ୍ତମାନେ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ସୁନା ଥିବାବେଳେ ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ବର୍ତ୍ତମାନ ଆୟକର ବିଭାଗ ଛାନଭିନ ଜାରି ରଖିଛି ।

ଏହି ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ ହୋଇଥିବା ବେଳେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ଅଳଙ୍କାର ବିକ୍ରି ଉଦ୍ଦେଶ୍ୟରେ ଆଣୁଥିବା କହିଛନ୍ତି। ତେବେ ଏ ସମ୍ପର୍କୀତ କାଗଜପତ୍ର ଦେଖାଇ ପାରୁ ନାହାନ୍ତି। ଜିଆରପି ପୁଲିସ୍‌ ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିଥିବା ବେଳେ ଆଇଟି ବିଭାଗ ଏହାର ଖୋଳତାଡ଼ କରୁଛି। ତେବେ ଏତେ ସୁନା ବିନା କାଗଜପତ୍ରରେ କିଏ ଓ କାହିଁକି ଆଣୁଥିଲା ତାହାର କିଛି ସଠିକ୍‌ ଜବାବ ମିଳିପାରୁନି।

Also Read  ରାଜ୍ୟ କ୍ୟାବିନେଟ ବୈଠକରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର