ଭୁବନେଶ୍ୱର : ଗୋଆ, ଜମ୍ମୁ-କଶ୍ମୀର ଭଳି ହାତଗଣତି କେତୋଟି ରାଜ୍ୟକୁ ଛାଡ଼ିଦେଲେ, ପ୍ରାୟ ୨୨ଟି ରାଜ୍ୟରେ ରହିଛି ସାଇବର ଅପରାଧୀଙ୍କ ନେଟ୍ଵର୍କ। ଏଭଳି କିଛି ଚମକାଇ ଦେଲା ଭଳି ତଥ୍ୟ ପୁଲିସ ହାତରେ ଲାଗିଛି। ସେହି ସବୁ ରାଜ୍ୟର ପ୍ରାୟ ଶହେରୁ ଅଧିକ ସହରରେ ରହି ସାଇବର୍ ଠକ ଅପରାଧ ଘଟାଇ ଚାଲିଛନ୍ତି। ଲୋକଙ୍କ ପାଖକୁ ଆସୁଥିବା ଠକଙ୍କ ମୋବାଇଲ ଫୋନ୍ ନମ୍ବରକୁ ଆଧାର କରି ପୁଲିସ ଏହି ତଥ୍ୟ ପାଇଛି। ମୋବାଇଲ ଫୋନ୍ରୁ ଓଡ଼ିଶାର କୌଣସି ଲୋକେସନ୍ ମିଳି ନଥିଲେ ମଧ୍ୟ ଏଠାରେ ସାଇବର ଠକ ଲୁଚି ଅପରାଧ ଘଟାଉଛନ୍ତି। ରାଜଧାନୀବାସୀଙ୍କୁ ଚକମା ଦେଇଛନ୍ତି ସାଇବର ଲୁଟେରା। ଗୋଟିଏ ମାସରେ ରାଜଧାନୀରୁ ଏକ କୋଟିରୁ ଅଧିକ ଟଙ୍କା ଚୁନ ଲଗାଇଛନ୍ତି ସାଇବର ଲୁଟେରା। ସାଇବର କ୍ରାଇମ ହେଲପ ଡେସ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସାଇବର କ୍ରାଇମ ହେଲପ ଡେସ୍କର ତଥ୍ୟ ଅନୁଯାୟୀ, ଗତ ଫେବ୍ରୁଆରୀ ମାସରେ ୧ କୋଟି ୩୯ ଲକ୍ଷ୬୦ ହଜାର ୪୭୯ ଟଙ୍କା ଲୁଟି ନେଇଛନ୍ତି ଅଦୃଶ୍ୟ ଲୁଟେରା। ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଅଞ୍ଚଳରୁ ବେଶି ସାଇବର ଠକେଇ କଲ୍ ଆସୁଛି। ହେଲେ ଟଙ୍କା ଫେରସ୍ତ ଓ ବ୍ଲକ ହୋଇଛି ମାତ୍ର ୨୩ ଲକ୍ଷଟଙ୍କା। ୧୨ ଲକ୍ଷ ୭୩ ହଜାର ୪୮୩ ଟଙ୍କା ବ୍ଲକ୍ ହୋଇଥିବା ବେଳେ ୧୦ ଲକ୍ଷ୫୨ ହଜାର ୮୦୨ ଟଙ୍କା ଫେରସ୍ତ ହୋଇଛି। ତେବେ ଗତମାସରେ କ୍ରେଡିଟ୍, ଡେବିଟ କାର୍ଡ ସମ୍ବନ୍ଧୀୟ ସାଇବର ଠକେଇ ସର୍ବାଧିକ ୯୭ଟି, ଯୁପିଆଇ ଫ୍ରଡ୍ ୯୪ଟି ଓ ଅନ୍ୟ ଠକେଇ କଲ୍ ୬୩ଟି ହୋଇଛି। ମୋଟ ୨ ହଜାର ୮୮୭ଟି ଠକେଇ କଲ୍ ଭିତରୁ ଭୁବନେଶ୍ୱେରରୁ ୨୫୪ଟି ଅଭିଯୋଗ ଆସିଛି।
ମାନଚିତ୍ରରେ ସ୍ଥାନ ପାଇଥିବା ପ୍ରମୁଖ ରାଜ୍ୟ ଓ ସହରଗୁଡ଼ିକ ହେଲା, ପଶ୍ଚିମବଙ୍ଗର କୋଲକାତା ଓ ମାଲଦା, ଝାଡ଼ଖଣ୍ଡର ରାଞ୍ଚି, ଧାନବାଦ ଓ ଦେଓଘର, ବିହାରର ପାଟଣା, ଭାଗଲପୁର, ହଜାରିବାଗ, ଗୟା, ଜଗଦଲପୁର, ସିକ୍କିମ୍, ଉତ୍ତରପ୍ରଦେଶର ଲକ୍ଷ୍ନୌ, ଆଗ୍ରା, ବୁଲନ୍ଦସହର, ରାମଗଡ଼, ଅଲଓ୍ଵାର, ଫିରୋଜପୁର, ସୋହନା, ବିହାରର ପାଟନା, ଭାଗଲପୁର, ହଜାରିବାଗ, ଗୟା, ଜଗଦଲପୁର, ନୂଆଦିଲ୍ଲୀ, ନଏଡା, ଗାଜିଆବାଦ, ଗୁରୁଗ୍ରାମ, ଫରିଦାବାଦ, ପଞ୍ଜାବ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଗୁଜରାଟର ଅହମ୍ମଦାବାଦ, ସୁରଟ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋର, ଛତିଶଗଡ଼ର ଭିଲାଇ, ମହାରାଷ୍ଟ୍ରର ମୁମ୍ବାଇ, ତେଲେଙ୍ଗାନାର ହାଇଦ୍ରାବାଦ, କର୍ଣ୍ଣାଟକର ବେଙ୍ଗାଲୁରୁ, କେରଳର କୋଚି, ତାମିଲନାଡ଼ୁର ଚେନ୍ନାଇ, ଆନ୍ଧ୍ରପ୍ରଦେଶ, ବିଶାଖାପାଟଣା ଭଳି ସହରରେ ଲୁଚି ରହିଛନ୍ତି ସାଇବର୍ ଅପରାଧୀ। ମୋବାଇଲ ଫୋନ୍ରେ ଏହି ସବୁ ଅଞ୍ଚଳର ଅଜଣା ନମ୍ବରରୁ କଲ୍ ଆସୁଥିଲେ, ତାହାକୁ ରିସିଭ୍ କରନ୍ତୁ ନାହିଁ କିମ୍ବା କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ପରାମର୍ଶ ଦିଆଯାଇଛି।
ଯେଉଁ ମୋବାଇଲ ଫୋନରୁ ସାଇବର ଠକ କଲ୍ କରୁଛନ୍ତି, ତାହାର ଲୋକେସନ୍କୁ ପ୍ରଥମେ ଟ୍ରାକ୍ କରାଯାଉଛି। ସେହିପରି ଟାଓ୍ଵାର ଡମ୍ପିଂ ସହାୟତାରେ ତଥ୍ୟ ସଂଗ୍ରହ କରାଯାଏ। ଗୁଗୁଲ୍ ମ୍ୟାପ୍ ସୁପର ଇମ୍ପୋଜ୍ କରାଇବା ପରେ ମାନଚିତ୍ରରେ ଲୋକେସନ୍ ଦେଖାଇଥାଏ।