ବିଏମସି ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ : କିଏ ଏହି ମଧୁସ୍ମିତା ଆଚାର୍ଯ୍ୟ ? ପଢ଼ନ୍ତୁ……

0
443

ଭୁବନେଶ୍ବର: ବିଜେଡି ଓ ବିଜେପି ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ସକ୍ଷମ ହୋଇ ନଥିବା ବେଳେ କଂଗ୍ରେସ ଆଜି ମେୟର ପଦବୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍ ପଦବୀ ପାଇଁ ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚାର୍ଯ୍ୟ।

ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ଅଟନ୍ତି ମଧୁସ୍ମିତା। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସର ବିଧାୟକ ସୁରେଶ ରାଉତରାୟ ଏନେଇ ଘୋଷଣା କରିଛନ୍ତି। ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିବା ସୁର କହିଛନ୍ତି। ନିର୍ବାଚନ ଘୋଷଣାର ଯଥେଷ୍ଟ ପୂର୍ବରୁ କଂଗ୍ରେସ ଦଳରେ ବିଭିନ୍ନ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଅବଶ୍ୟ ଦଳରେ ମେୟର ପଦବି ପାଇଁ ଅଧିକ ଦାବିଦାର ନ ଥିଲେ। ନିର୍ବାଚନ ତାରିଖ ଘୋଷଣା ପରେ ତିନିଟି ନାମ ଚର୍ଚ୍ଚାକୁ ଆସିଥିଲା। ସେମାନେ ରଶ୍ମି ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ ଓ ସୁଭଦ୍ରା ମିଶ୍ର। ତେବେ ରାଜନୈତିକ ପରିବାରରୁ ଆସିଥିବା ମଧୁସ୍ମିତାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ନେଇଛି।

ଶାସକ ବିଜେଡିରେ ଯେଉଁ ସମ୍ଭାବ୍ୟ ନାଁ ଚର୍ଚ୍ଚାକୁ ଆସୁଛି ସେଥିରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ଇତି ସାମନ୍ତଙ୍କ ନାଁ ଆଗରେ ରହିଥିବା ବେଳେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ଝିଅ ତାନ୍ୟା ପଟ୍ଟନାୟକଙ୍କ ନାଁ ମଧ୍ୟ ଏହି ରେସରେ ସାମିଲ ହୋଇଥିବା ଜଣାପଡ଼ିଛି। ବିଜେଡିର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ନିଜର ଭଉଣୀ ଇତିଙ୍କୁ ମେୟର ପ୍ରାର୍ଥୀ କରିବା ପାଇଁ କର୍ପୋରେଟର ଆଶାୟୀଙ୍କୁ ଡାକି ମନ୍ତ୍ରଣା କରୁଥିବାବେଳେ ସୌମ୍ୟ ମଧ୍ୟ ନିଜ ଝିଅ ତାନ୍ୟାଙ୍କ ନିମନ୍ତେ ଅଣ୍ଟା ଭିଡ଼ି ଥିବା ଚର୍ଚ୍ଚା ହେଉଛି।

Also Read  Revenue Inspector and peon into police custody on charges of Bribery in Keonjhar, Odisha