ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର । କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ୧୩୦ ଡଲାର ଅତିକ୍ରମ କରିଛି । ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ପାର କରିଛି। ଆହୁରି ମହଙ୍ଗା ହୋଇପାରେ ପେଟ୍ରୋଲ ଡିଜେଲ ଦର।
ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଅଭାବ ଦେଖାଦେଇଛି। ଏହି କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୧୩୦.୩ ଡଲାରରେ ପହଁଚିଛି।
ତେବେ ୨୦୦୮ରେ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସମୟରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାର ଅତିକ୍ରମ କରିଥିଲା। ସେହିପରି ୨୦୧୨ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୮ ଡଲାର ଛୁଇଁଥିଲା। ଏବେ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହୋଇଛି। ସୂଚନା ମୁତାବକ ଗୁରୁବାର ଦିନ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଥିଲା। ବ୍ୟାରେଲ ପିଛା ୧୧୫ ଡଲାର ପାର୍ କରିଥିଲା।
ରୁଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ଭାରତର ସେୟାର ବଜାର ଉପରେ ମଧ୍ୟ ପଡିଛି। ଆଜି କାରବାର ଆରମ୍ଭ ହେଉ ହେଉ ସେନ୍ସେକ୍ସ ୧୭ ଶହ ପଏଣ୍ଟରୁ ଅଧିକ ତଳକୁ ଖସିଯାଇଥିବା ଦେଖିବାକୁ ମିଳିଛି। ସେପଟେ ଦେଶରେ ପେଟ୍ରୋଲ ଡିଜେଲ ଦାମ୍ ସ୍ଥିର ରହିଛି। ତେବେ ଏହା ବେଶ୍ କମ୍ ଦିନ ପାଇଁ ରହିପାରେ ବୋଲି ଆଶଙ୍କା କରାଯାଉଛି। ରିପୋର୍ଟ ଆସନ୍ତା ସପ୍ତାହ ଆଡକୁ ତୈଳ ଦରରେ ବଡ ଧରଣର ବୃଦ୍ଧି ଘଟିପାରେ। ମାର୍ଚ୍ଚ ୧୦ ପରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇପାରେ ବୋଲି କୁହାଯାଉଛି।