ସମ୍ବଲପୁର ଡିଆଇଜି ଅଫିସ ଘେରାଉ ବେଳେ ବିଜେପି କର୍ମୀଙ୍କ ଉପରକୁ ପାଣିମାଡ଼

0
634
ବିଜେପି କର୍ମୀଙ୍କ ଉପରକୁ ପାଣିମାଡ଼
ବିଜେପି କର୍ମୀଙ୍କ ଉପରକୁ ପାଣିମାଡ଼

ସମ୍ବଲପୁର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଗର୍ଜୁଛି ବିରୋଧୀ। ମମିତା ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। ବିଜେପି ପକ୍ଷରୁ ସମ୍ବଲପୁର ଡିଆଇଜି ଅଫିସ ଘେରାଉ କରାଯାଇଛି। ପୁଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବିଜେପି କର୍ମୀଙ୍କ ଉପରକୁ ପାଣିମାଡ଼ କରାଯାଇଛି।

ସମ୍ବଲପୁରରେ ମଧ୍ୟ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଡିଆଇଜି ଅଫିସ ଘେରାଉ ପାଇଁ ଯିବା ବେଳେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ବିଜେପି କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିଲା। ପୁଲିସ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ନାଉରୀ ନାଏକ ଓ ଈରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି।

ସେହିପରି କଟକରେ ସିଏମ୍‌ସି ଅଫିସ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। ସିଏମ୍‌ସି ଅଫିସ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରାଯାଇଛି। ଏହାସହ ସମସ୍ତଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ବାଲେଶ୍ୱରରେ ମଧ୍ୟ ବିଜେପି ପ୍ରତିବାଦ କରିଛି। ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସାମନାରେ ବିଜେପି କର୍ମୀମାନେ ଧାରଣା ଦେବା ସହ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଦଳ ଚେତାବନୀ ଦେଇଛି।

ବଲାଙ୍ଗିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ଆନ୍ଦୋଳନ କରୁଛି। କଚେରି ଛକରେ ଦଳୀୟ କର୍ମୀ ରାସ୍ତାରୋକ କରିଛନ୍ତି। ଏଥିରେ ସାଂସଦ ସଙ୍ଗୀତା ସିଂହଦେଓ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଭୁବନେଶ୍ୱର ଓ ଭବାନୀପାଟଣାରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ବିରୋଧ କରାଯାଇଛି।

 

Also Read  Rishi murder case: Another friend’s statement recorded under sec 161 in Odisha capital