ତ୍ରିପୁରା ପୌର ନିର୍ବାଚନ: ଅତିରିକ୍ତ ଫୋର୍ସ ମୁତୟନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ

0
751
ତ୍ରିପୁରା ପୌର ନିର୍ବାଚନ
ତ୍ରିପୁରା ପୌର ନିର୍ବାଚନ

ନୂଆଦିଲ୍ଲୀ: ତ୍ରିପୁରାରେ ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ପାଇଁ ସୁନିଶ୍ଚିତ ହେବାକୁ ତୁରନ୍ତ ଦୁଇ କମ୍ପାନି ଅତିରିକ୍ତ ଫୋର୍ସ ମୁତୟନ ଲାଗି ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାର ଓ ତ୍ରିପୁରା ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଅତିରିକ୍ତ ଦୁଇ କମ୍ପାନି ‘କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ’ ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ କହିଛନ୍ତି। ରାଜନୈତିକ ହିଂସାରେ ବିକ୍ଷତ ତ୍ରିପୁରା ପୌର ନିର୍ବାଚନ ଚାଲିଥିବା ବେଳେ ସୁପ୍ରିମ୍‌ କୋର୍ଟ ଏ ଭଳି ଆଦେଶ ଦେଇଛନ୍ତି।

ଆଜି ରାଜ୍ୟ ରାଜଧାନୀ ଅଗରତାଲା‌ର ୫ ନମ୍ବର ୱାର୍ଡରେ ଜଣେ ଦଳୀୟ କର୍ମୀଙ୍କୁ ମାଡ଼ ମରାଯାଇଥିବା କଥା ‘ତୃଣମୂଳ କଂଗ୍ରେସ’ ଦାବି କରିଥିଲା। ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ଶାସକ ‘ବିଜେପି’ ଭୋଟର୍‌ମାନଙ୍କୁ ବାଧା ଦେବା ସହ ଦଳୀୟ କର୍ମୀମାନଙ୍କୁ ଅବାଧରେ କାର୍ଯ୍ୟ କରାଇ ଦେଉ ନାହାନ୍ତି ବୋଲି ‘ସିପିଆଇ(ଏମ୍‌)’ର ରାଜ୍ୟ ସମ୍ପାଦକ ଜିତେନ ଚୌଧୁରୀ କହିଛନ୍ତି। କିନ୍ତୁ, ‘ବିଜେପି’ ସବୁ ଅଭିଯୋଗକୁ ଅସ୍ବୀକାର କରିଛି।

ବିଜେପି’ ମୁଖପାତ୍ର ନବେନ୍ଦୁ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଉତ୍ସବ ପାଳିବା ପରି ଭୋଟ୍‌ ଚାଲିଛି। ହିଂସା, ଗିରଫଦାରି, ଧାରଣା ଯୋଗୁଁ ତ୍ରିପୁରା ପୌର ନିର୍ବାଚନ ବିବାଦୀୟ ହୋଇପଡ଼ିଛି। ତେଣୁ, ଏଥିରେ ହସ୍ତକ୍ଷେପ କରି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସୁନିଶ୍ଚିତ ହେବାକୁ ସୁପ୍ରିମ୍‌ କୋର୍ଟ ସରକାରୀ ଅଧିକାରୀମାନଙ୍କୁ କହିଛନ୍ତି।

ଆଜି ତ୍ରିପୁରା ପୌର ନିର୍ବାଚନରେ ତ୍ରିପାକ୍ଷିକ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ‘ବିଜେପି’ ସହ ରାଜନୈତିକ ସଂଗ୍ରାମ ପାଇଁ ‘ତୃଣମୂଳ କଂଗ୍ରେସ’ ତା’ର ଶୀର୍ଷସ୍ତରୀୟ ନେତୃବର୍ଗଙ୍କୁ ପଠାଉଥିବା ବେଳେ ‘ସିପିଆଇ(ଏମ୍‌) ନିଜର ପୂର୍ବସ୍ଥିତି ଫେରାଇବାକୁ ଉଦ୍ୟମ ଚଳାଇଛି। ଅଗରତାଲା ପୌର ନିଗମ ସମେତ ରାଜ୍ୟର ୮ଟି ଜିଲ୍ଲାର ୨୦ଟି ପୌରାଞ୍ଚଳରେ ଗ୍ରହଣ କରାଯାଉଥିବା ଆଜିର ଭୋଟ୍‌ ସବୁ ନଭେମ୍ବର ୨୮ ତାରିଖ ଦିନ ଗଣାଯିବ।

 

Also Read  Odisha Finance Minister announced new schemes and tagged names of other icons of state