ଓଡ଼ିଶା, ଆନ୍ଧ୍ର ଓ ବଙ୍ଗରେ ଏନଡିଆରଏଫ୍ ନିୟୋଜିତ ହେବେ

0
526
real picture of the storm will be clear tomorrow
real picture of the storm will be clear tomorrow

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯାହାକି ଅଧିକ ଘନୀଭୂତ ହୋଇ ଡିସେମ୍ବର ୩ ତାରିଖରେ ସାମୁଦ୍ରିକ ଝଡ଼ର ରୂପ ନେବାକୁ ଯାଉଛି, ତାହାର ବର୍ତ୍ତମାନର ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ସମିତିକୁ ବିସ୍ତୃତ ସୂଚନା ଦେଇଥିଲେ । ଏହି ସମ୍ଭାବ୍ୟ ବାତ୍ୟା ଡିସେମ୍ବର ୪ ତାରିଖ ସକାଳେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପ୍ରଭାବିତ ରାଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବା ସହିତ ପ୍ରବଳ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ଼ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଓ ବିଜୟନଗରମ ଜିଲ୍ଲା ସହିତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଅଧିକ ପ୍ରଭାବିତ କରିବ । ଏହାର ପ୍ରଭାବରେ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକା କ୍ଷେତ୍ରରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ସେମାନଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଯୋଗୁ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସେମାନେ କହିଥିଲେ । ବାତ୍ୟା ପ୍ରଭାବରୁ ଭିତ୍ତିଭୂମିଜନିତ କ୍ଷତିକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ ।

ଏହିସବୁ ରାଜ୍ୟରେ ଏନଡିଆରଏଫର ୩୨ଟି ଦଳକୁ ନିୟୋଜିତ କରାଯାଇଛି ଏବଂ ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସ୍ଥଳସେନା ଓ ନୌସେନାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯିବା ସହିତ ଜାହାଜ ଓ ବିମାନଗୁଡ଼ିକୁ ଆବଶ୍ୟକତା କ୍ଷେତ୍ରରେ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ରାଜୀବ ଗୌବା ଜୋର ଦେଇ କହିଥିଲେ ଯେ ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ପୂର୍ବରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ଏଜେନ୍ସିମାନେ ସମସ୍ତ ସତର୍କତା ଏବଂ ପ୍ରଶମନ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ଯାହାଫଳରେ ଜୀବନହାନିକୁ ରୋକିବା ଏବଂ ସମ୍ପତ୍ତି, ଭିତ୍ତିଭୂମି ଓ ଫସଲ କ୍ଷତି ହ୍ରାସ କରିବା ସମ୍ଭବ ହେବ । କ୍ୟାବିନେଟ ସଚିବ ମଧ୍ୟ ଜୋର ଦେଇ କହିଥିଲେ ଯେ, ସମସ୍ତ ମତ୍ସ୍ୟଜୀବୀ ଏବଂ ଡଙ୍ଗା ତୁରନ୍ତ ଉପକୂଳକୁ ଫେରାଇ ଆଣିବା ଏବଂ ବାତ୍ୟା ପ୍ରଭାବିତ କ୍ଷେତ୍ରରୁ ଲୋକମାନଙ୍କୁ ଆଗୁଆ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ସମସ୍ତ ପ୍ରୟାସ କରିବା ଉଚିତ୍ । ସେ ରାଜ୍ୟ ସରକାରମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ସହାୟତା ପାଇଁ ପ୍ରସ୍ତୁତ ଏବଂ ଉପଲବ୍ଧ ରହିଛନ୍ତି ।

Also Read  Total Covid Positive cases in Odisha cross 10 lakh-mark

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ବନ୍ଦର ଜାହାଜ ଚଳାଚଳ ଏବଂ ଜଳମାର୍ଗ, ମତ୍ସ୍ୟ ବିଭାଗ, ଟେଲିଯୋଗାଯୋଗ ବିଭାଗ, ଶକ୍ତି ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସମେତ, ଏନଡିଆରଏଫ ଡିଜି, ଆଇଏମଡି ଡିଜି, ସିଆଇଏସସି, ଆଇଡିଏସ ଏବଂ ଏନଡିଏମଏର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ।