କଲବଲ ହେବ ଉପକୂଳ‌ ଓଡ଼ିଶା : ପବନ କମ୍, ଅଧିକ ବର୍ଷା ଆଣୁଛି ଜୱାଦ

0
768
କଲବଲ ହେବ ଉପକୂଳ‌ ଓଡ଼ିଶା
  • ସତର୍କ କଲେ ଏସଆରସି

  •  ଆଜି ବାତ୍ୟା ରୂପ ନେବ

  • ଗତିପଥକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର : ବାତ୍ୟା ରୂପ ନେବ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେ ସଂକ୍ରାନ୍ତରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିନାହିଁ। ସମ୍ଭାବ୍ୟ ବାତ୍ୟା ସ୍ଥଳ ଭାଗ ଛୁଇଁବା ନେଇ ଏବେ ବି ଦ୍ବନ୍ଦ୍ବ ରହିଛି। କିନ୍ତୁ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ‘ଜଵାଦ’ ଓଡ଼ିଶାକୁ ସବୁଠାରୁ ଅଧିକ ପ୍ରଭାବିତ କରିବ। ବର୍ତ୍ତମାନ ସୃଷ୍ଟ ଅବପାତଟି ଓଡ଼ିଶାର ଗୋପାଳପୁରଠାରୁ 850 କିମି ଓ ପାରାଦୀପଠାରୁ 770 କିମି ଦୂରରେ ରହିଛି। ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ଓ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ବା ବାତ୍ୟା ରୂପ ନେବ। ୪ ତାରିଖ ସକାଳୁ ଏହା ସ୍ଥଳ ଭାଗ ମୁହାଁ ହେବା ବେଳକୁ ଦୁର୍ବଳ ହୋଇଯିବ। ଫଳରେ ଓଡ଼ିଶାରେ ପବନର ବେଗ କମ୍‌ ରହିବ। କିନ୍ତୁ ଏହି ବାତ୍ୟା ଅଧିକ ବର୍ଷା ଆଣୁଥିବାରୁ ସମଗ୍ର ଉପକୂଳ ସମେତ ସଂଲଗ୍ନ ଅଞ୍ଚଳରେ ୪ ଓ ୫ ତାରିଖ ପ୍ରବଳ ବର୍ଷିବ। ଫଳରେ ଅଧା ଓଡ଼ିଶାର ଜନଜୀବନ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରାଯାଉଛି।

 

ବାତ୍ୟା ପ୍ରଭାବରେ ରାଜ୍ୟରେ ୩ ତାରିଖ (ଶୁକ୍ରବାର) ରାତିରୁ ପାଗରେ ପରିବର୍ତ୍ତନ ହେବ। ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ। କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆସନ୍ତାକାଲି ସଂଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷିବା ଆରମ୍ଭ ହୋଇଯିବ। ୪ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷିବ। ଏପରିକି ସେଠାରେ ୨୦୦ ମିମିରୁ ଅଧିକ ବର୍ଷିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଏଥିସହ ଏହି ୪ ଜିଲ୍ଲା ପାଇଁ‌ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯା‌ଜପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ଉପରେ ସତର୍କ ଦୃଷ୍ଟି ଦେବାକୁ ଏସ୍ଆର୍‌ସି ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Also Read  ECoR Gears Up for Cyclone 'Jawad' With Adequate Safety Precautions

ଲଘୁଚାପ ସୃଷ୍ଟି ହେବା ପରେ ସିଷ୍ଟମଟି ବାରମ୍ବାର ଦିଗ ପରିବର୍ତ୍ତନ କରୁଥିବାରୁ ବୈଜ୍ଞାନିକମାନଙ୍କ ଆକଳନ ବିଳମ୍ବ ହେଉଥିବା କୁହାଯାଉଛି ବା ଠୋସ୍ ଭାବେ ନିର୍ଣ୍ଣୟ ହୋଇପାରୁନାହିଁ। ଆଇଏମ୍‌ଡି କହିଛି, ସମୁଦ୍ର ଭିତରେ ଏହା ଦିଗ ବଦଳାଇବ ଏବଂ ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ‘ବାତ୍ୟା’ର ରୂପ ନେବ। ୪ ତାରିଖ ସକାଳେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ‌ା ସହ ଉତ୍ତର-ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ‌ ଛୁଇଁବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସାମ୍ଭାବ୍ୟ ବାତ୍ୟା ଉପକୂଳର ବହୁ ଦୂରରେ ଦିଗ ବଦଳାଇ ଓଡ଼ିଶା ଉପକୂଳରୁ ଦୂରରେ ସମୁଦ୍ରରେ ପଶ୍ଚିମବଙ୍ଗ/ବାଂଲାଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ବାତ୍ୟାର ଭୀଷଣତା କମ୍‌ ରହିବ। କଣାସଠାରୁ କେନ୍ଦ୍ରାପଡ଼ା ଭିତରେ ପବନର ବେଗ ଘଣ୍ଟାପ୍ରତି ୪୫ କିମି ରହିବ ଓ ୬୦ରୁ ୮୦ ମିମି ବର୍ଷା‌ ହୋଇପାରେ। ଅନ୍ୟାନ୍ୟ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଅଞ୍ଚଳରେ ପବନ ଘଣ୍ଟାପ୍ରତି ୩୦ କିମି ଭିତରେ ଓ ବର୍ଷା ସ୍ବଳ୍ପରୁ ମଧ୍ୟମ ରହିବ। ୪ ଓ ୫ରେ ବର୍ଷା ହେବ। ୫ ରାତି ବା ୬ ତାରିଖ ସକାଳେ ଏହା ବାଂଲାଦେଶ ପହଞ୍ଚିବ।

cyclone5

 

ଆସନ୍ତା ୫ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜିଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ୩ ତାରିଖ ସକାଳେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ଓ ସ୍ଥଳ ବିଶେଷରେ ୮୫ କିମି ଛୁଇଁପାରେ। ୪ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଏବଂ ସ୍ଥଳ ବିଶେଷରେ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ବୋହିବ ବୋଲି ଆକଳନ କରାଯାଇଛି। ଅପରାହ୍ଣରୁ ରାତି ୧୨ଟା ପର୍ଯ୍ୟନ୍ତ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗ ସହିତ ଝଟକା ପବନର ବେଗ ୯୦ କିମି ଉପରେ ରହିବାର ସମ୍ଭାବନା ରହିଛି।

ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ ଜେନାଙ୍କ ପକ୍ଷରୁ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ଫସଲାହାନୀକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ଆବଶ୍ୟକ କୃଷି ଉପଦେଶ ଜାରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାପାଳଙ୍କୁ କ୍ଷେତ୍ରୀୟ ସ୍ତରରେ କୃଷକମାନଙ୍କୁ ସେମାନଙ୍କର ଅମଳ ଫସଲ ନଷ୍ଟ ନହେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମଣ୍ଡିରେ ଧାନ ଓ ଅନ୍ୟାନ୍ୟ ଶସ୍ୟ ଯେପରି ନଷ୍ଟ ନହୁଏ ସେଥିପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ସେବା ଦଳଙ୍କୁ ମୁତୟନ କରାଯାଉଛି। ଜିଲ୍ଲାପାଳ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗକୁ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Also Read  ‘ହୃଦୟରୁ ଏବେ ବି ଆପଣମାନେ ଶିବସେନାରେ ଅଛନ୍ତି’: ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବ ଠାକରେଙ୍କ ଇମୋସନାଲ୍‌ ଅପିଲ୍