ଭୁବନେଶ୍ୱର: ପଡ଼ୋଶୀ ଆନ୍ଧ୍ରରେ ଓମିକ୍ରନ ବାହରିବା ନେଇ ଆମ ପାଖରେ ଖବର ଅଛି। କିନ୍ତୁ ଏଥିପାଇଁ ରାଜ୍ୟବାସୀଙ୍କୁ ଭୟଭୀତ କିମ୍ବା ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲାଗୁଡ଼ିକୁ ସଜାଗ କରାଇଛନ୍ତି ସରକାର। ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି। ଏପର୍ଯ୍ୟନ୍ତ ଆମ ଓଡ଼ିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନହାନ୍ତି । ଏହାକୁ ନେଇ ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି ।
ପଡ଼ୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଡିଏମଇଟି କହିଛନ୍ତି, ସ୍କୁଲଗୁଡ଼ିକରେ ସଂକ୍ରମିତ ଚିହ୍ନଟ ହେବା ପରେ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୂର୍ବ ଅପେକ୍ଷା ରାଜ୍ୟର ସ୍କୁଲଗୁଡ଼ିକରେ ସଂକ୍ରମଣ ଧୀରେ ଧୀରେ କମୁଛି। ସେମିତି ଚିନ୍ତାଜନକ ସ୍ଥିତି ନାହିଁ ବୋଲି ଡିଏମଇଟି କହିଛନ୍ତି ।
ଏଣେ ସ୍କୁଲରେ କରୋନା ବ୍ୟାପିବାକୁ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଜିଲ୍ଲା ପ୍ରଶାସନ ନଜର ରଖିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଏସଓପି ବି ରହିଛି। ଯେଉଁଠି ବି ପିଲାଙ୍କଠାରେ ଲକ୍ଷଣ ଆସୁଛି, ସ୍କୁଲ ଆସିବାକୁ ବାରଣ କରାଯାଉଛି। ଯେଉଁଠି ଆବଶ୍ୟକ ପଡୁଛି ଜିଲ୍ଲା ପ୍ରଶାସନ ଦେଖୁଛି। ଟେଷ୍ଟ ବି କରାଯାଉଛି। ଯେଉଁଠି ଆବଶ୍ୟକ ପଡୁଛି ଆଇସୋଲେସନ ବ୍ୟବସ୍ଥା ବି ରହିଛି। ଜଏଣ୍ଟ ମେଡିକାଲ ଟିମ ବି ଅଛି।
ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଟିମ କରାଯାଇଛି। ଆଇସୋଲେସନ କେସରେ କିଛି ଆସୁଛି। ଏହା ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି କରିବନି। ଶିକ୍ଷା ପ୍ରତି ପିଲାଙ୍କର ଆଗ୍ରହ ରହିଛି। କରୋନା ଭୟ ରହି ବି ପିଲାଙ୍କ ଉପସ୍ଥାନ ବଢୁଛି। ସବୁ ବ୍ୟବସ୍ଥା ସହ ଶିକ୍ଷାଦାନ କିପରି ଜାରି ରହିବ ସେ ନେଇ ବ୍ୟବସ୍ଥା କରାଯାଉଛି।

























