ଅଢ଼େଇ କୋଟି ପାଣିରେ ପଡ଼ିଲା : ପୁଣି ଚାଲିବ ମାଗଣା କୋଚିଂ

0
832
ପୁଣି ଚାଲିବ ମାଗଣା କୋଚିଂ
ପୁଣି ଚାଲିବ ମାଗଣା କୋଚିଂ

ଭୁବନେଶ୍ୱର :ସିଭିଲ୍ ସର୍ଭିସ ଅଫିସର ହେବାକୁ ସ୍ୱପ୍ନ ଦେଖାଇଲେ। ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଦେଲେ। ୩ ବର୍ଷରେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ବି ହେଲା। ହେଲେ ସବୁ ଫସର ଫାଟିଗଲା। କୋଚିଂ ନେଇଥିବା ଜଣେ ବି ଅଫିସର୍ ହୋଇପାରିଲେନି।

ଏବେ ପୁଣି ନିଟ୍, ଜେଇଇ ଭଳି ପ୍ରବେଶିକା ପରୀକ୍ଷା ପାଇଁ ମେଧାବୀଙ୍କୁ କୋଚିଂ ଯୋଜନାର ଭବିଷ୍ୟତକୁ ନେଇ ଚର୍ଚ୍ଚା। ବିଫଳତାର କାରଣ ନ ଖୋଜି ପୁଣି ନୂଆ ଯୋଜନା କରିବାକୁ ନେଇ ଉଠିଲାଣି ପ୍ରଶ୍ନ। ରାଜ୍ୟର ୮ ବିଶ୍ୱବିଦ୍ୟାଳୟରେ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର ଖୋଲିଦେଲେ ସରକାର। କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଲା। କହିଲେ,  ରାଜ୍ୟରୁ ହିଁ ଗଢ଼ା ହେବେ ପୁଳା ପୁଳା ପ୍ରଶାସନିକ ସେବା ଅଧିକାରୀ। ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ସ୍ତରରେ ହିଁ ଦିଆଯିବ କୋଚିଂ। କିନ୍ତୁ ଫଳ ଶୂନ। ଜଣେ ବି ଛାତ୍ରଛାତ୍ରୀ UPSC ଏକଜାମ୍ କ୍ଲିୟର କରିପାରିଲେ ନାହିଁ। ହେଲେ ମେଧାବୀଙ୍କ କୋଚିଂ ବାବଦରେ ୩ ବର୍ଷରେ ରାଜ୍ୟ ସରକାର ଖର୍ଚ୍ଚ କରିଦେଲେ ୨ କୋଟି ୪୨ ଲକ୍ଷ ଟଙ୍କା।

ବିଧାନସଭାରେ ଏନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ସିଭିଲ ସର୍ଭିସ କୋଚିଂ ସେଣ୍ଟର ସଂଯୋଜିକାଙ୍କ କହିବା କଥା, ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ନୂଆ ବ୍ୟାଚ୍‌ର କୋଚିଂ ବେଳେ ପିଲାଙ୍କ ବିଫଳତାର କାରଣ ଖୋଜାଯିବ।

ଏବେ ପ୍ରଶ୍ନ ଉଠୁଛି, ସିଭିଲ ସର୍ଭିସ୍ କୋଚିଂ କାର୍ଯ୍ୟକ୍ରମରେ କାହିଁକି ବିଫଳ ହେଲେ ସରକାର? ଦୂରଦୃଷ୍ଟି ନ ଥିଲା ନା ଘୋଷଣା ଓ କାର୍ଯ୍ୟକାରିତା ମଧ୍ୟରେ ଦୂରତା ରହିଗଲା? କେଉଁଠି ରହିଲା ତ୍ରୁଟି? କାହିଁକି ଜଣେ ବି ଛାତ୍ରଛାତ୍ରୀ ହେଲେନି କୃତକାର୍ଯ୍ୟ  କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ହୋଇଥିଲା ତ ବିଚାରବିମର୍ଶ? ତେବେ ସିଭିଲ ସର୍ଭିସ କୋଚିଂ ବିଫଳ ପରେ ଏବେ ନିଟ୍, ଜେଇଇ ଭଳି ଜାତୀୟ ପ୍ରବେଶିକା ପରୀକ୍ଷା ପାଇଁ ବାର୍ଷିକ ହଜାରେ ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂକୁ ନେଇ ଉଠିଲାଣି ପ୍ରଶ୍ନ। ସିଭିଲ ସର୍ଭିସ କୋଚିଂ ପରି ଏ ଯୋଜନା ବି ଦିଗହରା ହେବନି ତ? କାର୍ଯ୍ୟକ୍ରମ ଘୋଷଣା ପରେ କାର୍ଯ୍ୟକାରିତାର ମନିଟରିଂ ଅଭାବକୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍।

ବାର୍ଷିକ ହଜାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଟ୍, ଆଇଆଇଟି, ଜେଇଇ, ଏନଡିଏ ଆଦି ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ କରିବାକୁ ସରକାର ମାଗଣା କୋଚିଂ ଦେବାକୁ ଘୋଷଣା କରିଛନ୍ତି। ଏବେ ନଜର କେତେ ସଫଳ ହେଉଛି ଏ ଯୋଜନା।

Also Read  Odisha finalist for Georgia beauty pageant meets Odisha CM and Governor to seek blessings