୧୯୭୧ରେ ପାକିସ୍ତାନ ସେନା ଧ୍ବଂସ କରିଥିବା ଢାକାସ୍ଥିତ ରମନା କାଳୀ ମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି

0
613
ରମନା କାଳୀ ମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି
ରମନା କାଳୀ ମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବାଂଲାଦେଶର ୫୦ତମ ‘ବିଜୟ ଦିବସ ଉତ୍ସବ’ରେ ଅଂଶ ଗ୍ରହଣ କରିବା ପାଇଁ ୩ଦିନିଆ ଗସ୍ତରେ ଯାଇଥିବା ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଐତିହାସିକ ‘ରମନା କାଳୀ ମନ୍ଦିର’ ଦର୍ଶନ କରିବେ।

ବାଂଲାଦେଶର ମୁକ୍ତି ସଂଗ୍ରାମ ଦମନ କରିବା ଲାଗି ମୋଗଲ ଅମଳର ଏହି ମନ୍ଦିରକୁ ୧୯୭୧ ମାର୍ଚ ମାସରେ ପାକିସ୍ତାନୀ ସେନା ଧ୍ବଂସ କରି ପକାଇଥିଲେ। ପାକିସ୍ତାନୀ ସେନାର ‘ଅପରେସନ୍‌ ସର୍ଚଲାଇଟ୍‌’ରେ ଏହି ମନ୍ଦିରକୁ ଧ୍ବଂସ କରାଯାଇଥିବା ବେଳେ ତତ୍‌କାଳୀନ ପୂର୍ବ ପାକିସ୍ତାନ କୁହାଯାଉଥିବା ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟଙ୍କ ସମେତ ଅନେକ ସ୍ଥାନୀୟ ଲୋକ ନିହତ ହୋଇଥିଲେ।

ଭାରତ ଏହି ମନ୍ଦିର ପୁନଃନିର୍ମାଣରେ ସାହାଯ୍ୟ କରିବ ବୋଲି ୨୦୧୭ରେ ବାଂଲାଦେଶ ଗସ୍ତ ସମୟରେ ଭାରତର ତତ୍‌କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଘୋଷଣା କରିଥିଲେ।

ଧ୍ବଂସ ହେବା ପୂର୍ବରୁ ଏହି ମନ୍ଦିର ଥିଲା ଢାକାର ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟ। ୧୯୭୧ ମସିହା ମାର୍ଚ ୭ ତାରିଖରେ ବାଂଲାଦେଶର ସଂସ୍ଥାପକ ପିତା ଶେଖ୍‌ ମୁଜିବୁର୍‌ର ରହମନ୍‌ଙ୍କ ପ୍ରସିଦ୍ଧ ଉଦ୍‌ବୋଧନ ବେଳର କେତେକ ଫଟୋର ପୃଷ୍ଠଭୂମିରେ ଉକ୍ତ ମନ୍ଦିର ରହିଛି।

ଡିସେମ୍ବର ୧୫ ରୁ ୧୭ ପର୍ଯ୍ୟନ୍ତ ଢାକାଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡିସେମ୍ବର ୧୬ ତାରିଖ ଦିନ ‘ବିଜୟ ଦିବସ ପାଳନ’ରେ ମୁଖ୍ୟ ଅତିଥି ହେବେ। ଉକ୍ତ ଉତ୍ସବରେ ଭାରତୀୟ ସଶସ୍ତ୍ରବାହିନୀର ତିନି-ସେବାରୁ ଯାଇଥିବା ୧୨୨ଜଣ ଯବାନ ପରେଡ୍‌ ପ୍ରଦର୍ଶନ କରିବେ।

ଗସ୍ତର ପ୍ରଥମ ଦିବସରେ ରାଷ୍ଟ୍ରପତି ସବରରେ ଥିବା ଜାତୀୟ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଦେଶ ସ୍ବାଧୀନ କରିବା ଲାଗି ଅସ୍ତ୍ର ଧରିଥିବା ମୁକ୍ତିଯୋଦ୍ଧାମାନଙ୍କ ସହ ମଧ୍ୟ ରାଷ୍ଟ୍ରପତି ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି।

Also Read  ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ