ଶୀତ ଲହରିରେ ଜନଜୀବନ ଅସ୍ତବ୍ୟସ୍ତ : ରାଜ୍ୟର ପ୍ରଥମ ତୁଷାରପାତ କେଉଁଠି ପଡ଼ିଲା ଜାଣନ୍ତୁ ?

0
684
ରାଜ୍ୟର ପ୍ରଥମ ତୁଷାରପାତ
ରାଜ୍ୟର ପ୍ରଥମ ତୁଷାରପାତ

କୋଇଡ଼ା: ପାହାଡ଼ ପର୍ବତଘେରା ଖଣି ଅଞ୍ଚଳ କୋଇଡ଼ାରେ ରବିବାର ଦିନ ତମାମ କୋହଲା ପାଗକୁ ଘନ କୁହୁଡ଼ିରେ ପୁରା ଅଞ୍ଚଳ କାଠୁଆ ଶୀତରେ ଥରୁଥିବା ସମୟରେ ରବିବାର ରାତ୍ରିର ଶୀତ କହିଦେଉଥିଲା ଯେ କୋଇଡ଼ାରେ ସବୁ ବର୍ଷପରି ଏ ବର୍ଷ ମଧ୍ୟ ତୁଷାରପାତ ହେବାକୁ ଯାଉଛି। ସୋମବାର ସକାଳ ସମୟରେ ଖାସ୍ କରି ଖୋଲା ପଡ଼ିଆ, ବାଇକ ସିଟ୍ , ବଡ଼ ଗାଡ଼ିର ଉପରଭାଗ ଏବଂ ଗଛପତ୍ର ମଧ୍ୟ ତୁଷାରପାତରେ ସମ୍ପୂର୍ଣ୍ଣ ଅଞ୍ଚଳ ଧଳା ଆବରଣରେ ଚମକି ଉଠୁଥିଲା।

ବାଘୁଆ ଶୀତରେ ଘରୁ ବାହାରିବା କଷ୍ଟ ସାଧ୍ୟ ଥିବା ବେଳେ ଦିନତମାମ ଶୀତ ଛାଡିବାର ନାଁ ଧରୁନି ଏବଂ ସଂଧ୍ୟା ୪ ଘଟିକାରୁ ଶୀତର ପ୍ରଭାବ ଜୋରଦାର ପୁରା ଅଞ୍ଚଳରେ ଅନୁଭବ କରି ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ ଶୀତ ଯୋଗୁଁ କୋଇଡ଼ା ଅଞ୍ଚଳ ଥରୁଥିବା ବେଳେ ଏବେ ଅଞ୍ଚଳରେ ତୁଷାରପାତ ଯେମିତି ବୋଝ ଉପରେ ଲଳିତା ବିଡ଼ା ସାଜିଛି। କୋଇଡ଼ା ବ୍ଲକର କୋଇଡ଼ା , ଟେନସା , କାଲଟା , ପାଟମୁଣ୍ଡା , ସାନଇନ୍ଦିପୁର , ମାଲଦା , ଜାମୁଢି , ରକ୍ସି ଭଳି ପ୍ରମୁଖ ସ୍ଥାନ ମାନଙ୍କରେ ସୋମବାର ସକାଳ ସମୟରେ ତୁଷାରପାତ ଦେଖିବାକୁ ମିଳିଛି। ଏପଟେ କୋଇଡ଼ା ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରି ପାଖାପାଖି ଥିବା ଶୁଣି ଏବେ ଅଞ୍ଚଳବାସୀଙ୍କ ମନରେ ଛାନିଆ ପଶିଛି। ପାଣିପାଗ ସୂଚନା ଅନୁଯାୟୀ ସୁନ୍ଦରଗଡ଼ରେ ଆହୁରୀ ଶୀତର ପ୍ରଭାବ ବଢିବ। ଏହାକୁ ନେଇ ଏବେ ଚିନ୍ତାରେ କୋଇଡ଼ାବାସୀ।

୧୦ ଡିଗ୍ରି ତଳେ ୧୩ ସହର, ଦାରିଙ୍ଗବାଡି ୪ ଡିଗ୍ରି 

ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି। ଏଣେ ଏବର୍ଷର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ରେକର୍ଡ ହୋଇଛି। ଏଠାରେ ରାତ୍ର ତାପମାତ୍ରା ୪ ଡିଗ୍ରି ସେଲସିଅସ୍ ଥିଲା। ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୧୦ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଦାରିଙ୍ଗବାଡି ୪.୦ ଡିଗ୍ରି ସେଲସିଅସ୍, ଝାରସୁଗୁଡା ୫.୬ ଡିଗ୍ରି ସେଲସିଅସ୍, ଫୁଲବାଣୀ ୬.୫ ଡିଗ୍ରି ସେଲସିଅସ୍, ସୋନପୁର ୬.୯ ଡିଗ୍ରି ସେଲସିଅସ୍ , କେନ୍ଦୁଝର ୭.୪ ଡିଗ୍ରି ସେଲସିଅସ୍, ଟିଟଲାଗଡ଼ ୯.୩ ଡିଗ୍ରି ସେଲସିଅସ୍, ବଲାଙ୍ଗୀର ୮.୦ ଡିଗ୍ରି ସେଲସିଅସ୍, ସମ୍ବଲପୁର ୯.୦ ଡିଗ୍ରି ସେଲସିଅସ୍, ବାରିପଦା ୯.୫ ଡିଗ୍ରି ସେଲସିଅସ୍ ଓ ସୁନ୍ଦରଗଡ଼ ୮.୦ ଡିଗ୍ରି ସେଲସିଅସ୍, ଭବାନୀପାଟଣା ୮.୯ ଡିଗ୍ରି ସେଲସିଅସ୍, ତାଳଚେର ଓ ହୀରାକୁଦ ୯.୦ ଡିଗ୍ରି ସେଲସିଅସ୍।

Also Read  କଟକରେ ଆଇନ୍ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅପରପକ୍ଷରେ କଟକରେ ୧୨.୪ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରି ସେଲସିଅସ୍ ରାତ୍ର ତାପମାତ୍ରା ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ୨୨ତାରିଖ ଆଡ଼କୁ ପାରଦ ଧୀରେ ଧୀରେ ଊର୍ଧ୍ବମୁଖା ହେବ। ୨୨ ତାରିଖ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତ ୫ ଦିନ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ଗତକାଲି ରାତିରୁ ଅଧିକ ଶକ୍ତିଶାଳୀ ହୋଇଛି।