ଭୁବନେଶ୍ୱର : ରାଜ୍ୟରେ ଆଉ ୨୪ ଘଣ୍ଟା ଶୀତ । ତାପରେ ରାତିର ତାପମାତ୍ରା ବଢ଼ିବ । ଶୀତ କମ୍ରଶଃ ହ୍ରାସ ପାଇବ । ୨୪ ତାରିଖରୁ ସମୁଦ୍ର ଆଡ଼ୁ ପବନ ବୋହିବା ଯୋଗୁ ଶୀତ କମିବ । ତେବେ ୨୮ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପଗ ବିଜ୍ଞାନୀ ଉମା ଶଙ୍କର ଦାଶ କହିଛନ୍ତି ଯେ, ରାଜ୍ୟରେ ଗୁରୁବାର ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଅ ।ପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରେ କିଛି ସ୍ଥାନରେ ଶୀତର ପ୍ରକୋପ ରହିପାରେ । ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଏହାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୮ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେଇପାରେ । ଉତ୍ତର ଓଡ଼ିଶାର ବହୁ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ଏହାପରେ ପୁଣି ଶୀତ ଫେରିବ । ବର୍ଷା ଛାଡ଼ିବା ପରେ ଆକାଶ ମେଘମୁକ୍ତ ହୋଇଯିବ । ଆକାଶ ପରିଷ୍କାର ରହିଲେ ଶୀତର ପ୍ରକୋପ ବଢ଼ିବାର ଆଶଙ୍କା କରାଯାଉଛି ।
ଅନ୍ୟପକ୍ଷରେ କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ୨୮ ତାରିଖରୁ ପାଗରେ ପରିବର୍ତ୍ତନ ଅ ।ସିବ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଝଡ଼ଖଣ୍ଡ ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ ୨୮-୩୦ ତାରିଖ ମଧ୍ୟରେ ପାଗ ମେଘୁଆ ରହିବ । ୨୯ ଓ ୩୦ ତାରିଖରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ ।
୧୫ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ: ଫୁଲବାଣୀ ସବୁଠାରୁ ଥଣ୍ଡା ସହର
ଓଡ଼ିଶାର ଗତ ରାତ୍ରରେ ୧୫ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ଫୁଲବାଣୀ ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଠାକାର ତାପମାତ୍ର ଥିଲା ୫ ଡିଗ୍ରି ସେଲସିଅସ୍। ଅପରପକ୍ଷରେ କଟକରେ ୧୦.୮ ଓ ଭୁବନେଶ୍ୱରରେ ୧୦.୦ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।
୨ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା ୭.୧, ଦାରିଙ୍ଗବାଡ଼ି ୬.୫, କୋରାପୁଟ ୯.୪ , ସୁନ୍ଦରଗଡ଼ ୭.୫, ଫୁଲବାଣୀ ୫.୦, ଟିଟଲାଗଡ଼ ୭.୩, ଭବାନୀପାଟଣା ୮.୦, ବଲାଙ୍ଗୀର ୯.୦ ଡିଗ୍ରି, ରାୟଗଡ଼ ୮.୦, କେନ୍ଦୁଝର ୭.୬, ସମ୍ବଲପୁର ୯.୫, ବୌଦ୍ଧ ୯.୬ ଡିଗ୍ରି ସେଲସିଅସ୍।
ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ଆଉ କିଛି ଦିନ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତ ସପ୍ତାହେ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ଗତକାଲି ରାତିରୁ ଅଧିକ ଶକ୍ତିଶାଳୀ ହୋଇଛି।

























