ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ସକାଳ ସାଢ଼େ ୯ଟାରେ ଭୁବନେଶ୍ବରରେ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଛି । ଏନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଅର୍ଥ ଓ ଗ୍ରାମ୍ୟ ଉନ୍ନୟନ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତେବେ ଶେଷ ଭାଗରେ ରାମକୃଷ୍ଣ ପଟ୍ଟନାୟକ ବିଜେପିରେ ଯୋଗ ଦେଇଥିଲେ। ୧୯୪୦ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମଲାଭ କରିଥିବା ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକ ୧୯୭୭, ୧୯୮୦, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ଗଞ୍ଜାମ ଜିଲ୍ଲା କୋଦଳା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୯୦-୯୫ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ। ଏହାପରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ।
କୋଦଳା ନିର୍ବାଚନ ମଣ୍ଡଳୀରେ ୫ ଥର ବିଧାୟକ ଥିବା ରାମକୃଷ୍ଣଙ୍କୁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦେଖିବାକୁ ମିଳିଛି। ରାମକୃଷ୍ଣ ଜନତା ଦଳ, ଜନତା ପାର୍ଟି ଓ ବିଜୁ ଜନତା ଦଳରୁ ବିଧାୟକ ହୋଇଛନ୍ତି। ୧୯୯୬ରୁ ୧୯୯୭ ଯାଏଁ ବିରୋଧୀ ଦଳ ନେତା ରହିଥିଲେ ରାମକୃଷ୍ଣ। ରାଜ୍ୟରେ ବିଜେଡିର ଅଭ୍ୟୁଦୟ ହୋଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ଅତି ଖାସ ନେତାଙ୍କ ଭିତରେ ରାମକୃଷ୍ଣଙ୍କ ନାଁ ଥିଲା। ଏପରିକି ଅନେକ ସମୟରେ ଉଭୟ ଏକାଠି ପ୍ରଚାର କରୁଥିବାର ଦେଖିବାକୁ ମିଳିଛି। ତେବେ ୨୦୧୪ରେ ରାମକୃଷ୍ଣ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
ଜଣେ ବିଚକ୍ଷଣ ନେତା ଭାବେ ଜଣାଶୁଣା ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି।
ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ ।ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା।ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।