ଟ୍ରାକ ପାର ହେଉଥିଲେ ହାତୀପଲ : ଟ୍ରେନ୍‌ ଧକ୍କାରେ ୨ଟି ହାତୀଙ୍କ ଜୀବନ ଗଲା

0
534
ଟ୍ରେନ୍‌ ଧକ୍କାରେ ୨ଟି ହାତୀଙ୍କ ଜୀବନ ଗଲା
ଟ୍ରେନ୍‌ ଧକ୍କାରେ ୨ଟି ହାତୀଙ୍କ ଜୀବନ ଗଲା

ଖୋର୍ଦ୍ଧା : ଟ୍ରେନ୍ ଧକ୍କାରେ ମରିଗଲେ ଦୁଇଟି ହାତୀ। ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରରେ ଘଟିଛି ଏହି ଘଟଣା।ଗୋଟିଏ ହାତୀର ମୃତଦେହ ଭୂଷଣ୍ଡପୁର ନିକଟରେ ରେଳଧାରଣାରେ ମିଳିଥିବା ବେଳେ ଆଉ ଗୋଟିଏର ମୃତଦେହ ସେଠାରୁ ପ୍ରାୟ ୫୦୦ ମିଟର ଦୂରରେ ପଡ଼ିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ୮ଟି ହାତୀ ଏଠାରେ ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ ଟ୍ରେନ୍ ଧକ୍କା ଦେଇଥିଲା। ଟ୍ରେନ୍ ଧକ୍କାରେ ୨ଟି ହାତୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଆହତ ହାତୀଟି ଛୋଟାଇ ଛୋଟାଇ ସେଠାରୁ ଚାଲି ଯାଇଥିଲା। ତେବେ ତା’ର ବି ମୃତ୍ୟୁ ଘଟିଛି।

ଏହି ଘଟଣା ପାଇଁ ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି। ସେମାନେ କହିଛନ୍ତି ଯେ ଏ ଅଞ୍ଚଳରେ ବହୁ ଦିନ ହେଲାଣି ହାତୀ ଅଛନ୍ତି। ବନ ବିଭାଗକୁ ଏ ସଂପର୍କରେ ଅବଗତ କରାଯିବା ସତ୍ତ୍ୱେ ସେମାନ କିଛି ପଦକ୍ଷେପ ନିଆଯାଇ ନାହିଁ। ଏମିତିକି ବନ ବିଭାଗ ଓ ରେଳବାଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଚିତ୍ ସମନ୍ୱୟ ନ ରହିବା କାରଣରୁ ଏହି ଅଘଟଣ ଘଟିଥିବା କୁହାଯାଉଛି।

ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏସିଏଫ୍ କହିଛନ୍ତି ଯେ ମାସେ ହେଲା ହାତୀମାନେ ଏ ଅଞ୍ଚଳରେ ଅଛନ୍ତି। ବନ ବିଭାଗ ଚୁପ୍ ବସିଥିଲେ ଆହୁରି ଅନେକ କ୍ଷତି ଘଟି ଥାଆନ୍ତା। ଏହି ଘଟଣା ପାଇଁ କାହାକୁ ଦାୟୀ କରାଯିବ, ତାହା ତଦନ୍ତ ପରେ ଜଣାପଡ଼ିବ। ଆଉ ଯେଉଁ ସମନ୍ୱୟ ନ ରହିବା କଥା କୁହାଯାଉଛି, ତାହା ମଧ୍ୟ ତଦନ୍ତ ସାପେକ୍ଷ। ଆଗକୁ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନଘଟେ ସେଥିପାଇଁ ପଦକ୍ଷେପ ନିଆଯିବ। ତେବେ ଏହି ଘଟଣା କାହିଁକି ଘଟିଲା, ସେହି ପ୍ରଶ୍ନର ସିଧାସଳଖ କୌଣସି ଉତ୍ତର ଦେଇ ନାହାନ୍ତି ଏସିଏଫ୍। ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି।  ଏହା ଭିତରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି। ଟ୍ରେନ ଧକ୍କାରେ ୧୪ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ୫୪ ହାତୀ ମରିଛନ୍ତି।

Also Read  Sum hospital fire outbreak; four hospital officials arrested, Medical supdt hospitalized to SCB