ମାଲକାନଗିରିରେ ପୁଲିସ–ମାଓବାଦୀ ମୁହାଁମୁହିଁ, ୬ ନିହତ

0
521
ନକ୍ସଲ ଓ ପୁଲିସ୍‌ ମୁହାଁମୁହିଁ
ନକ୍ସଲ ଓ ପୁଲିସ୍‌ ମୁହାଁମୁହିଁ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫତଳା। ଏନକାଉଣ୍ଟରେ ନିହତ ହୋଇଛନ୍ତି ୬ ଜଣ ନକ୍ସଲ। ଏହାସହ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଥିବା କୋତ୍ତାଗୁଡ଼ମ ଅଞ୍ଚଳରେ ଘଟିଛି ଏହି ଘଟଣା।

ମିଳିଥିବା ସୂଚନା ଅନୁସାରେ, ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ଥିବା କିସ୍ତାରାମ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ନେଇ କୌଣସି ସୂତ୍ରରୁ ଖବର ମିଳିଥିଲା। ଏହା ପରେ ଗତକାଲି ରାତିରେ ତେଲେଙ୍ଗାନା ଓ ଛତିଶଗଡ଼ ପୁଲିସ୍ ସହିତ ସିଆର୍‌ପିଏଫ୍‌ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଏଥିରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ସେଠାରେ ନକ୍ସଲ କରିଥିବା କ୍ୟାମ୍ପରୁ ବିପୁଳ ପରିମାଣର ଗୁଳି ସହିତ ବନ୍ଧୁକ ଓ ଅନ୍ୟ  ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା।

କୋତ୍ତାଗୁଡମ ଏସ୍‌ପି ସୁନୀଲ ଦତ୍ତ ଅପରେସନରେ ସାମିଲ ଥିଲେ ବୋଲି ଜଣାଯାଇଛି। ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ଜଣାଯାଇଛି। ମୃତ ନକ୍ସଲଙ୍କ ପରିଚୟ ମିଳିନାହିଁ। ସେମାନଙ୍କ ଯୋଜନା କ’ଣ ଥିଲା, ତାହା ମଧ୍ୟ ଜଣାପଡ଼ି ନାହିଁ। କିସ୍ତାରାମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।

 

Also Read  Odisha-cadre IPS officers likely to go on Central Deputation